ନବବର୍ଷର ନୂତନ ଆଶା – ଅଜିତ କୁମାର ତ୍ରିପାଠୀ
1 min read
ଆସିବ ଆସିବ ନବ ବର୍ଷ ଭବ
ନବୀନ ଆଲୋକ ଧରି
ସବୁରି ମନରେ ନବ ଉଦ୍ଦୀପନା
ନୂତନ ସନ୍ଦେଶ ଭରି ।।୧।।
ମର୍ତ୍ତ୍ୟେ ବିରାଜିବ ଅଭିଷେକ ହେବ
ରତ୍ନ ସିଂହାସନେ ବସି
ସୁନ୍ଦର ସକାଳ ଧରି ଶତଦଳ
ସୌରଭରେଯିବ ବାସୀ ।।୨।।
ଶାସନ କରିବ ସୁଖ,ଶାନ୍ତି ଦେବ
ଦୀର୍ଘ ଏକ ବର୍ଷ ଧରି
ନଥିବ ଅଶାନ୍ତି, ଅଭାବ, ବିପତ୍ତି
ରୋଗ ବ୍ୟାଧି ଦୂରକରି ।।୩।।
ନାଚିବ ଧରଣୀ ଫୁଲ ଫଳ ଘେନି
ଘନ ଘୋର ଅରଣ୍ୟରେ
ପାଦପ କାନନ ପର୍ବତ, ପବନ
ନଦ ନଦୀ, ଝରଣାରେ ।।୪।।
ସବୁଜ ଫସଲେ ହସିବ କେଦାରେ
ଶସ୍ୟ ଶ୍ୟାମଳା ସମ୍ଭାରେ
ପରିବେଶ ଆଉ ପ୍ରକୃତିକୁ ନେଇ
ପରିପୂର୍ଣ୍ଣ ସୌନ୍ଦର୍ଯ୍ୟରେ ।।୫।।
ବିହଙ୍ଗମ କୁଳ ହୋଇ ଦଳ ଦଳ
କଳରବେ ଗଗନରେ
କୋକିଳ କାକଳୀ କୁହୁ କୁହୁ ତୋଳି
ବସନ୍ତର ମଳୟରେ ।।୬।।
ଭୁରୁ ଭୁରୁ ହୋଇ ମଧୁର ମହକେ
ମକରନ୍ଦ କୁସୁମରେ
ଭୃଙ୍ଗ ଭୃଙ୍ଗୀ ଗଣ ହୋଇ ଭଣଭଣ
ଭ୍ରମୁଥିବେ ଉଦ୍ୟାନରେ ।।୭।।
ନଦୀନାଳ ଜଳ ହେବ କଳ କଳ
ହିଲ୍ଲୋଳିତ ସାଗରରେ
ମାନବ ସକଳ ପ୍ରେମ ଅନାବିଳ
ପରଷି ପ୍ରତି ହୃଦରେ ।।୮।।
ଜାତି, ଧର୍ମ, ବର୍ଣ୍ଣ, ବିଚାର ଭୁଲିଣ
ଶାନ୍ତି, ପ୍ରୀତି, ମଇତ୍ରୀରେ
ନରହିବ ଈର୍ଷା, ଦ୍ଵେଷ, କାମ, କ୍ରୋଧ
ଅସୂୟାର ପ୍ରବୃତ୍ତିରେ ।।୯।।
ସଂହତି, ଏକତା, ଜତୀୟ ମମତା
ବିରାଜିବ ମର୍ତ୍ତ୍ୟେ ପରେ
ନୂଆ ଆଶାନେଇ ଉଦ୍ଦୀପନା ପାଇ
ସମୃଦ୍ଧିର ସୌରଭରେ ।।୧୦।।
ନରହିବେ ପାପୀ ପାପକୁ ଉପେକ୍ଷି
ପରିତାପ ପ୍ରବଣରେ
ମଧୁଋତୁ ସାଥେ ଆସିବ ମରତେ
କୁସୁମ ମଣ୍ଡି ଗଭାରେ ।।୧୨।।
ବାଣ ରୋଷଣୀରେ ତୋରଣ ମାଳାରେ
ନାଚଗୀତ ଆସରରେ
ମାଛ ଓ ମାଂସରେ, ଅଣ୍ଡା, କୁକୁଡ଼ାରେ
ମାତାଲ ହୋଇ ସୁରାରେ ।।୧୨।।
ଅଜିତ କୁମାର ତ୍ରିପାଠୀ
ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮