ଦୀପ ଜାଳିବୁ କାହା ପାଇଁ – ଶିବରାମ ସାହୁ
1 min read
କାର୍ତ୍ତିକ ମାସର କୃଷ୍ଣପକ୍ଷେ ସାର
ତିଥି ଯେ ଅମାବାସ୍ଯାର ।
ଶୁଭ ଲଗନର ପୁଣ୍ଯ ଅବସର
ଶୋଭେ ଦୀପର ସମ୍ଭାର ।।
ଦୀପାବଳୀ ପର୍ବ ଆମରି ଗୌରବ
ହୁଅଇ ତ ସର୍ବ ଶୁଭ ,
ଅଯୋଧ୍ୟା ରାଘବ ବିଜୟ ଉତ୍ସବ
ପାଳନେ ଆନନ୍ଦୋତ୍ସବ ।।
ଦେବ ଦୀପାବଳି ହରଷରେ ଜାଳି
ମୁରୁଜ ଝୋଟି ଆବଳୀ,
ସୁଆଗତେ ବରି ସାଗର ଦୁଲାଳି
ସହିତରେ ମହାକାଳୀ ।।
ବଡ ବଡିଆଙ୍କ ପିତୃ ପୁରୁଷଙ୍କ
ସ୍ମୃତି ଚାରଣ ଦିନାଙ୍କ,
ପୟାଶ୍ରାଦ୍ଧ ତାଙ୍କ ପାଳନେ ଯାହାଙ୍କ
ପିଣ୍ଡଦାନ ପୁଣ୍ଯାତ୍ମାଙ୍କ ।।
ମାଟି ଦୀପାବଳୀ ବଳିତାରେ ଜଳି
ହରେ ତିମିର ସବୁରି,
ଦୁଃଖ କ୍ଳେଶ-ବାରି ଯାଏ ଅପସରି
ଫେରେ ଜୀବନର ଶିରୀ ।।
ଆତସବାଜିର ପ୍ରକମ୍ପେ ସଂସାର
ହୋଇଯାଏ ଥରହର,
ପ୍ରେମ ଭ୍ରାତୃତ୍ଵର ଦୀପ ସୁରକ୍ଷାର
ଜଳେ ସବୁରି ଗୃହର ।।
ଶିବରାମ ସାହୁ, ରୁପ୍ରା,
ନର୍ଲା, କଳାହାଣ୍ତି
ମୋ. ନ-୯୫୫୬୬୯୫୮୬୨