ଦୀପ ଜାଳିବୁ କାହା ପାଇଁ – ଅଶୋକ କୁମାର ନାୟକ
1 min read
ଆମ୍ଭେ ଦୀପ ଜାଳିବୁ କାହା ପାଇଁ
କେଉଁ ସ୍ବାଭିମାନ ନେଇ,
ସ୍ୱାଧୀନ ଏ ଦେଶ ସବୁଦିନ ଜଳେ
ଝିଅଙ୍କର ଚିତା ଭାଇ ।
ସ୍ୱାଧୀନ ହେଇ ବି ପରାଧୀନ ଆମେ
ଖୋଲି ପାରିବାନି ପାଟି,
ନେତା ପରା ଆମ ଭାଗ୍ୟ ବିଧାତା
ନୋହିଲେ ଚିପିବେ ତଣ୍ଟି ।
ଯୋଜନା କରନ୍ତି ସିନା ମାଳ ମାଳ
ଚେଲା ଚାମଚାଏ ନେଲେ ବାଣ୍ଟି,
ନେତାଙ୍କ ଭିତରେ ଚାଲେ କୋଳାକୋଳି
ଆମ୍ଭ ମଧ୍ୟେ ଗଳା କଟାକଟି ।
ଚାରିପଟେ ଚିତା ଜଳୁଅଛି ଏଠି
ଦର୍କାର ନାହିଁ ଦୀପ ଜାଳିବା,
କେଉଁ ରାକ୍ଷସକୁ ମାରି ଆମେ କୁହ
ଆନନ୍ଦରେ ଆଜି ଦୀପ ଜାଳିବା ।
ଆଜିର ରାକ୍ଷସ ନିତି ବନ୍ଧା ହୁଏ
କାଲିକି ପୁଣି ସେ ଯାଉଛି ଖସି,
ଆମ ଆଇନଟା କେମିତି କେଜାଣି
ନିର୍ଦ୍ଦୋଷୀ ବେକରେ ଲାଗୁଛି ରଶି ।
ଦୀପାବଳି ଦିନ ଦୀପ ଜାଳିବାନି
ମନେ ମନେ ଆମ୍ଭେ କରିଛୁ ପଣ,
ଆମ ଝିଅ ବୋହୂ ନିର୍ଭୟେ ବୁଲିଲେ
ଦୀପଟେ ଜାଳିବୁ ଆମ୍ଭେ ସେଦିନ ।
ଆହେ ପିତୃଲୋକ ଅନ୍ଧାରେ ଆସିଛ
ଆଲୋକ ଦେଖାଇ ଯିବା ପାଇଁକି,
ବାଇଶି ପାହାଚେ ଦୀପାଳି ଜାଳୁଛୁ
ଢାଳ ହେ ଆଶିଷ ଆମ୍ଭ ପାଇଁ କି ।
ଅଶୋକ କୁମାର ନାୟକ
କେନ୍ଦୁଢି଼ପି, ନୟାଗଡ଼