ଦୀପ ଜାଳିବୁ କାହା ପାଇଁ – ନୃସିଂହ ନାରାୟଣ ତ୍ରିପାଠୀ
1 min read
କୈକେୟୀଙ୍କ ପ୍ରିୟ ସୁତ ପିତୃସତ୍ୟ ପାଳି ସେତ
ଚଉଦ ବରଷ ବନେ କଲେ ଗମନ
ଫେରିବା ସମୟେ ରାମ ଅଯୋଧ୍ୟାରେ ସ୍ୱାଗତମ
ଦୀପ ଜାଳି ସର୍ବେ କଲେ ଅଭିନନ୍ଦନ
ରଘୁବଂଶର ନାଥ ରାମ
ସତ୍ୟ ଧର୍ମ ତ୍ୟାଗର ଯେ ପୁରୁଷୋତ୍ତମ ll(୧)
ସୀତାରାମ ସୀତାରାମ ତପ କର ରାମ ନାମ
ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ ଜଗତନାଥ
ଶୁଭ ଦୀପାବଳୀ ଦିନ କର ତାଙ୍କୁ ଉପାସନ
ଅଯୋଧ୍ୟାର ପ୍ରାଣ ପ୍ରଭୁ ଗୋଲକନାଥ
ଆଲୋକିତ କରିଣ ମନ
ଦୀପ ଦେଇ ରଘୁନାଥେ କରିବା ଧ୍ୟାନ ll(୨)
ପିତୃ ପୁରୁଷଙ୍କ ଗାଥା ସ୍ମରିବା ବଂଶର କଥା
ଶ୍ରଦ୍ଧାରେ କରିବା ତାଙ୍କ ଯଶ ଗାୟନ
ଶ୍ରାଦ୍ଧ ପଣା ଖୁସି ମଜା ଘରଦ୍ୱାର ସାଜସଜ୍ଜା
ବଡ଼ ବଡିଆଙ୍କୁ ଦୀପ ଦେଇଣ ଦାନ
ନବ ପୋଷାକ ପରିଧାନ
କାଉଁରୀ ଦୀପେ ପ୍ରସନ୍ନ ସେ ତନୁ ମନ ll(୩)
ଆମେ ସବୁ ନର ଜାତି ରାମଙ୍କୁ କରୁ ଵିନତୀ
ଶ୍ରଦ୍ଧା ପ୍ରେମ ସ୍ନେହ ହୃଦେ ଦିଅନ୍ତୁ ଭରି
ସ୍ୱାର୍ଥ ତ୍ୟାଗ ଜନହିତ ଜୀବନର ହେଉ ବ୍ରତ
ଶୁଭ ଦୀପାବଳୀ ଦିନ କରୁ ଗୁହାରୀ
କର୍ତ୍ତବ୍ୟେ ରାମଙ୍କ ଦର୍ଶନ
ସାର୍ଥକ ହୋଇବ ଏ ମଣିଷ ଜୀବନ ll(୪)
ନୃସିଂହ ନାରାୟଣ ତ୍ରିପାଠୀ
ନିମାପଡା, ପୁରୀ