ହେ ଜଗଜ୍ଜୀବନ – ଲୀଳାବତୀ ପରିଡ଼ା
1 min read
ଗଡ଼ି ଗଡ଼ି ଯାଏ ଜୀବନର ଘଡି
ବେଳ ଆସେ ସରି ସରି,
ସଂସାର ହାଟରେ ସଉଦା କିଣାରେ
ବେଳ ମୋର ଗଲା ସରି।।
ଗଡାଣି ଉଠାଣି କେତେ ଲେଉଟାଣି
ଜୀବନେ ଯାତନା ଭରି।।
ରଙ୍ଗ ମଞ୍ଚ ପରେ ଅଭିନୟ କରି
ହାଲିଆ ହେଲିଣି ଭାରି।।
ଗଢି ଚାଲିଲି ମୁୁଁ ସ୍ବପ୍ନର ମହଲ
ଦିନ ରାତି ଏକା କଲି,
ଜୀବନ ଜଞ୍ଜାଳେ ମାୟା ମୋହେ ପଡି
ତୁମକୁ ପାଶୋରି ଗଲି।।
ଗଡୁନାହିଁ ଆଉ ଆହେ ମହାବାହୁ
ମୋର ଏ ପଙ୍କିଳ ରଥ,
ଆକୁଳ କଣ୍ଠ ରେ ଡାକୁଛି ଠାକୁରେ
ଆହେ ପ୍ରଭୁ ଜଗନ୍ନାଥ।।
ଗଢିଛି ତୁମର ସୁନ୍ଦର ମନ୍ଦିର
ହୃଦୟ କନ୍ଦରେ ମୋର,
ଗଙ୍ଗା ଜଳ ପରି ମନ ସ୍ୱଚ୍ଛ କରି
ଡାକେ ପବିତ୍ର ମନର।।
ଗର୍ବ ଦମ୍ଭ ରାଗ କରି ପରିତ୍ୟାଗ
ମୋହ ମାୟା ପରିହରି,
ଅସହାୟ ଅଟେ ରଖ ହେ ନିକଟେ
ତୁମ ଆଶ୍ରା ଅଛି କରି।।
ଗରବ ଗଞ୍ଜନ ହେ ଜଗଜ୍ଜୀବନ
ପରମ ବ୍ରହ୍ମ ଜଗନ୍ନାଥ,
ଗଡ଼ାଇ ନିଅ ହେ ମୋ ଜୀବନରଥ
ଆହେ ଜଗତର ନାଥ।
ଆହେ ଜଗତ ର ନାଥ।।
ଲୀଳାବତୀ ପରିଡ଼ା
ହିନ୍ଦୋଳ,
ଢେଙ୍କାନାଳ,ଓଡ଼ିଶା