Sahitya Jibana

Portal on odia literature

ରାହାସ ପୂର୍ଣ୍ଣିମା – ସୁକାନ୍ତ ଖଣ୍ଡା

1 min read

ରାହାସ ପୂର୍ଣ୍ଣିମା ଚାଲିଛି ଗାଆଁରେ
ଦେଖିବାକୁ ଥରେ ଆସ
ଆହ୍ବାନ କରୁଛି ଏ ଅଧମ ମୁହିଁ
କୀର୍ତ୍ତନରେ ହୋଇ ବଶ।୧
ସଞ୍ଜ ନ ହେଉଣୁ କଳସ ଆଣିଛୁ
ପାଖ ଆମ ଗଡି଼ଆରୁ
ରାମ ରାଧା କୁଷ୍ଣ ନାମ ଶୁଣିବାକୁ
ଆସିଛୁ ବାହାରି ଘରୁ।୨
ଉଚ୍ଛୁଳି ଉଠୁଛି ଗାଆଁ ପରିବେଶ
ଆସିଛନ୍ତି ପାଞ୍ଚ ଦଳ
ରଙ୍ଗ ଆଉ ରସ ପରିବେଷଣରେ
ବାହାର କରିବେ ଝୋଳ।୩
ରାମ କୃଷ୍ଣଙ୍କର ରସ ପାନ କରି
ଗଡୁଛୁ ଆନନ୍ଦ ହୋଇ
ଆସିଥିବା ଦଳ ଝୁମି ଯାଉଛନ୍ତି
ନାଚି ନାମ ତୁଣ୍ଡେ ଗାଇ।୪
ପହଡ଼ ପଡି଼ଲେ ପାଞ୍ଚ ଦଳ ମଧ୍ଯେ
ପ୍ରତିଯୋଗୀ ମନୋଭାବ
ନିଜର ଶିକ୍ଷାକୁ ବାଣ୍ଟିବେ ସଭିଙ୍କ
ଯେ ଥିବେ ଭକତ ଭାବ।୫
ଜଗତରେ ସାର ନାମ ସଂକୀର୍ତ୍ତନ
ଆସ ବନ୍ଧୁ ଥରେ ଦେଖି
ଦେଖିଲେ ଜାଣିବ ଗାଆଁ ପରିବେଶ
କେମିତି ରହିଛୁ ସୁଖୀ?୬
ଖାଇବା ଶୋଇବା ରହିବା ବ୍ଯବସ୍ଥା
ସବୁକୁ କରିଛୁ ଆମେ
ହରିହାଟ ଇଏ ଯଦି ତ କିଣିବ
ବିନା ମୂଲ୍ଯେ ଧର୍ମ ଧାମେ।୭
ଜଗତ କଲ୍ଯାଣ କରିବା ସକାଶେ
ପ୍ରତିବର୍ଷ କରିଥାଉ
ଈଶ୍ବର ସନ୍ତୁଷ୍ଟ ପାଇଁ ନାମଯଜ୍ଞ
ଏହି ଦିନ ହାଉଯାଉ।୮
ଆକୁଳେ ଡାକୁଛି ହେ ବନ୍ଧୁ ତୁମକୁ
ଶୁଣି ପାରୁଛ କି ନାହିଁ
ବାରେ ତ ଆସନ୍ତୁ ଏ ଟିକି ଗାଆଁକୁ
ମନରେ ହରଷ ଥୋଇ?୯
କାଲି ସରିଯିବ ପରା ହରିହାଟ
ମୋଟେ ହିଁ ଚାରି ପ୍ରହର
କହିଲି ବୁଝାଇ ମୋଟେ ଆସିଲନି
ବୁଲିଥିଲି ଘରଘର।୧୦
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି, ମଣତା ,ଘଟଗାଁ ,କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?