ଶ୍ରୀ ମହାପ୍ରସାଦ – ସୁକାନ୍ତ ଖଣ୍ଡା
1 min read
ଓଳିଏ ଖାଇଲେ ଓଳିଏ ଉପାସ
ଛଟପଟ ହୋଇ ମରେ
ଅନାଥ ହୋଇଛି ଅଳପ ବୟସୁ
ବାପା ମାଆ ପାଇଁ ଝୁରେ।୧
ଦେଖିନି ପୁରୀ କି ମହାପରସାଦ
ଖାଇବି କେମିତି କୁହ
ଯିବାପାଇଁ ଏହି ଅଧମ ଲୋକର
ଇଛା ଥାଇ ବହେ ଲୁହ।୨
ଶୁଣିଛି ଠାକୁର କାଳିଆ ବଳିଆ
ସୁଭଦ୍ରା ଭଉଣୀ ସହ
ନିଇତି ଖାଇକି ଛପନ ପଉଟି
ଶ୍ରୀ ମନ୍ଦିରେ ସଦା ରୁହ।୩
ମୋର ତ ହୃଦୟ ଭୋକରେ ସଢୁଛି
ଖାଇବା ପିଇବା ବିନା
ତୁମକୁ ଥରୁଟେ ମନେ ପଡେ଼ନାହିଁ
ଉଡା଼ଇ ହୃଦୟେ ବାନା।୪
ଭାଗ୍ଯ ମୋର କାହିଁ ଶ୍ରୀ ମହାପ୍ରସାଦ
ଏ ତୁଣ୍ଡରେ ଚାଖିବାକୁ
ମନ ଅବା ଧନ ନାହିଁରେ କାଳିଆ
ବୁଲିଯିବା ଶ୍ରୀ ପୁରୀକୁ।୫
ବଡ଼ ଠାକୁର ତୁ ବଡ଼ ବଡି଼ଆଙ୍କ
ହୃଦୟକୁ ଚିହ୍ନୁଥାଆ
ଗରିବ ରୋଗିଣା ସଢି଼ ମରୁଥାନ୍ତୁ
ପିଉଥାନ୍ତୁ ପଛେ ବାଆ।୬
ଜଗତ କଲ୍ଯାଣ କରୁଥାଅ ପ୍ରଭୁ
ମୋ ପାଇଁ ନ କରି ଚିନ୍ତା
ଦୁଃଖ କାଳେକାଳେ ଅତି ହିଁ ନିଜର
ଆଉ ସବୁ ହେଉ ପିତା।୭
ମହାପ୍ରସାଦକୁ ପାଇବାକୁ ଇଛା
ଆଉ ମୋ ସମୟ ନାହିଁ
ଯମ ଦୂତଗଣ ବେଢି଼ ସାରିଲେଣି
ନେବାକୁ ନରକ ଭୂଇଁ।୮
ପାପ କରିଥିଲି ସ୍ବୀକାର କରୁଛି
ସେ ପାଇଁ ତ ବଡ଼ ଦୁଃଖୀ
ଭବିଷ୍ଯତ ମୋର ଅନ୍ଧାର ହୋଇଛି
କେବେ ନ ହୋଇବି ସୁଖୀ।୯
ମହାପରସାଦ ନ ମିଳିଲା ନାହିଁ
ଶୁଣିକି ପେଟ ପୂରେଇ
ଦେଇଛି କାଳିଆ ଆଉ ଲୋଡା଼ କିଛି
ନରକ ଦେଏ ଦେଖେଇ।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି, ମଣତା, ଘଟଗାଁ, କେନ୍ଦୁଝର