ଆଜିର ପୁରୁଷ ରାବଣ ଓ କଂସ ପରି – ସୁକାନ୍ତ ଖଣ୍ଡା
1 min read
ମୁଁ ତାକୁ ଉଠେଇ ଆଣିଲି
ତାର ବିନା ଇଛାରେ ତ
ମୋତେ ପ୍ରତିଦିନ ଖୁଣ୍ଟାଦେଇ କହେ
ତୁମେ ରାବଣ ଓ କଂସଠୁ ବଳି
ନୀଚ୍ଚ ଆଉ ଧୀଟ
ଘରେ କାହାକୁ ନ ଜଣେଇ
ଜୋର କରି ହାତେଇବା ରାକ୍ଷସର କାମ।
ମୁଁ ସବୁ ଶୁଣୁଥାଏ ପ୍ରତିଟି କଥାକୁ
ରାଗ ହେଉଥାଏ ଠିଆ ଫାଡି଼ ଦିଅନ୍ତି କି?
ସବୁବେଳେ ସେଇ କଥା ହିଁ କହୁଛି
ଯଦି ଅପସନ୍ଦ ମୋର କାମନାର ବାଣ
ନୀଚ୍ଚ ଓ ଦୁର୍ବଳ
ଚାଲି ଯାଇପାର ଏ ଘରୁ
ଯେଉଁଠି ଘର କରିବାକୁ ଇଛା ବା ରାମଟେ ଦେଖିଛ?
ମୋର ନୀରବତା ତାକୁ ଆଣିଦିଏ
ଅସରନ୍ତି କହିବା ସୁଯୋଗ
ବେଳୁବେଳୁ ଝସେଇ କଥାଟେ ଫିଙ୍ଗେ
ଯେମିତି ପବନ ନାକବାଟେ
ଆପେଆପେ ଯାଏ ଫୁସଫୁସ ମଧ୍ଯକୁ।
ମୋର କର୍ମରେ ବାପା ଓ ମାଆ ବି
ମୁହଁକୁ ମୋଡି଼
ପ୍ରତିକ୍ଷଣ ରଗେଇ କଥା ଫିଙ୍ଗୁଥିଲେ
ଯେମିତି ଜନ୍ମିତ ମୁଁ ତାଙ୍କର ପୁଅ ହିଁ ନୁହେଁ
କୁଆଡୁ କୁଢେ଼ଇ ଆଣିଥିବା
ଗେଞ୍ଜାରୁଅ ସମ
ମୋର ବେଳୁବେଳୁ ରାଗ ଆଉ ଆହଙ୍କାର
ହୃଦୟରେ ଜାଗିଲା ଅପବାଦ ଶୁଣି
ଯେବେ ମୋର ବଳ ଓ ବୟସ ବଢି଼ଲା
ରୋଜଗାର ମଧ୍ଯ ତଦୃପ
ମୁଁ ବାପା ଓ ମାଆଙ୍କୁ ଦେଲି ନାହିଁ
ମୁଠାଏ ଦାନା ଅବା କନା
କବଳିତ କଲି ସବୁ ପୈତୃକ ସମ୍ପତି
କନ୍ଦାଇ ମାରିଲି ପ୍ରତିକ୍ଷଣ ଏ ଘର କୋଣରେ
ସେମାନେ ଆଜିକାଲି ଲୁହରେ ଗାଧୋଉଛନ୍ତି
ପିଉଛନ୍ତି ବି ନିଜର ଲୁହକୁ।
ପତ୍ନୀ ମୋର କେତେ ନେହୁରା ହେଲା
ମୋତେ ତ ଉଠାଇ ଭବିଷ୍ଯତ ଅନ୍ଧକାର କରିଦେଲ
ହେଲେ ନିଜର ବାପା ଓ ମାଆଙ୍କୁ ବି…
ସତରେ !
ତୁମେ ରାବଣ ନା କଂସ?
ପ୍ରତିଦିନ ଦାନବର କର୍ମରେ ଭିଜୁଛ।
ମୁଁ କହିଲି ରାବଣ ଓ କଂସଠୁ ବଳି
ଦାନବର କର୍ମରେ ନ ଲାଗିବି ତ
ତୋ ପରି ସୁନ୍ଦରୀଟେ
କଣ ହାତେଇ ଥାନ୍ତି ନା ବାପାଙ୍କର
ଅଚଳାଚଳ ସମ୍ପତିର ମାଲିକ?
ମୁଁ ମୋ ବାପାଙ୍କର ସମ୍ପତି ପାଇଲା ପରି
ତୁମେ ତୁମ ବାପାଙ୍କର ସମ୍ପତି ବି ଆଣିବ
ଅନ୍ଯଥା ଭୁଲିଯିବି ତୁମେ ମୋର କିଏ?
ସେ ମୋ କଥାଶୁଲି ଲୁହ ଝରାଇଲା
ଯେମିତି ଅଶୋକ ବନର ସୀତା
ଏବଂ ମାଆ ଆଉ ବାପା ବି
ବନ୍ଦୀ ଯେମିତି ମଥୁରାର କାରାଗାରେ।
ସତରେ !
ମୁଁ କଣ ଏକା ଏ ସଂସାରରେ ନୀଚ୍ଚ
ସବୁ ପୁରୁଷ ତ ଠିକ୍ ମୋରି ପରି
ଜଣେ ଜଣେ ରାବଣ ଓ କଂସ
ଯଦି ମିଛ କହୁଛି
ତୁମେ ଛାତିପରେ ହାତ ଥୋଇ କୁହ ତ
ମିଛ-ମିଛ-ମିଛ
ସବୁ ମିଛ ମୁଁ ରାବଣ କି କଂସ ମୋଟେ ନୁହେଁ?
ନିଶ୍ଚୟ ପାଟିରୁ ଜିଭ ଛିଣ୍ଡିଯିବ ନୁହେଁ।
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି, ମଣତା, ଘଟଗାଁ, କେନ୍ଦୁଝର