Sahitya Jibana

Portal on odia literature

ଚଞ୍ଚଳ ମନର ଲଗାମ – ସୁକାନ୍ତ ଖଣ୍ଡା

1 min read

ମନ ମୋ’ର ହୁତାସନ
ତାକୁ ରୋକିବା କାଠିକର ପାଠ।
ତୁମେ ପାରିଛନ୍ତି କି ରୋକି?
ମୋ ମନ କିନ୍ତୁ ଉଡୁଛି ସ୍ବର୍ଗ,ମର୍ତ୍ତ୍ଯ ଓ ପାତାଳ
ଯିଏ କ୍ଷଣକେ ଏଠି ତ କ୍ଷଣକେ ଆଉ କୁଆଡେ଼
ପବନଠୁ ବଳି ଓ ଇଲେକ୍ରିଟିଠୁ ବଳି।
ମୁଁ ତ ଜଣେ ସାଧାରଣ ମଣିଷ
ତେଲ ଲୁଣର ସଂସାରରେ
ଖାଲି ଘାଣ୍ଟି ହୁଏ
ଘାଣ୍ଟି ହୁଏ ମନକୁ ଶାନ୍ତ୍ବନା ସକାଶେ
ପୁଳାଏ ଟଙ୍କା ପାଆନ୍ତ ତ କ’ଣ କରନ୍ତି
କରନ୍ତି ଗୋଟିଏ ବଡ଼ ଅଟ୍ଟାଳିକା,ସୁନ୍ଦରୀ ସ୍ତ୍ରୀ,ମେଞ୍ଚାଏ ପିଲାଛୁଆ
ଓ ମନଭରି ଭାସି ଯାଆନ୍ତି କାମନା ନଈରେ
କିଏ କେତେ କଥା କହିବେ,କୁହନ୍ତୁ
ମୋ’ର ଯାଏ ଆସେ କେତେ?
ପୁଣି ଭାବେ ମନ୍ତ୍ରଟିଏ ଫୁଙ୍କି ଦିଅନ୍ତି ତ
ସ୍ବର୍ଗରୁ ଓହ୍ଲାଇ ଆସନ୍ତେ ଅପସରୀ
କେଳି କରିବାକୁ
ଅଥବା ଉଡା଼ଜାହାଜ ପରି,ରକେଟ ପରି
ଉଡି଼ ଯାଆନ୍ତି କାହିଁ କେତେ ଦୂର
ଯେଉଁଠି ସୂର୍ଯ୍ଯଙ୍କର ଘର
ପବନର ଗୀତ ନୀରବତା
ମେଘ ସଙ୍ଗେ କୋଳାକୋଳି ହେବାକୁ।
ସତରେ !
ଏ ଚଞ୍ଚଳ ମନ ଭାରି ଲଗାମ ଛଡା଼
ତାକୁ ପାରିଲିନି କବଳିତ କରି।
ଭାଇ !
ତୁମେ ପାରିଛନ୍ତି କି?
ମୋ ଦେଇ ହୋଇନି କି ହେବନି
ଏ ଚଞ୍ଚଳ ମନର ଲଗାମ କିନ୍ତୁ
ସେହିମାନେ ହିଁ କରି ପାରିବେ
ଯେଉଁମାନେ କାମନାକୁ ବଶୀଭୂତ କରିଥିବେ
ଆଉ ସଂସାର ତ୍ଯାଗ
ଯେମିତି ରାମକୃଷ୍ଣ ପରମହଂସ।
କିନ୍ତୁ ମୁଁ ତ ଜରଜର
ସର୍ବଦା କାମନାରେ ଧ୍ଯାନ
ଆଉ ଧ୍ଯାନରେ କାମନା।
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି, ମଣତା ,ଘଟଗାଁ, କେନ୍ଦୁଝର

Leave a Reply

Copyright © Sahitya Jibana | Newsphere by AF themes.
Open chat
Hello
How can you help we?