Sahitya Jibana

Portal on odia literature

ସବୁ ଧର୍ମଛାଡି଼ ମୋ ପାଖରେ ଶରଣ ନିଅ – ସୁକାନ୍ତ ଖଣ୍ଡା

1 min read

ସବୁ ଧର୍ମର ସବୁ ଗୁରୁ
ଏହା ହିଁ କହନ୍ତି
ହିନ୍ଦୁ ଧର୍ମରେ କୃଷ୍ଣ ବି କହିଛନ୍ତି ଅର୍ଜୁନଙ୍କୁ
କହିବା ବି ସ୍ବାଭାବିକ୍
କିଏ ଚାହିଁବ କୁହ ତ
ମୋର ଶରଣ ନ ନେଇ
ଆଉ କାହା ଶରଣରେ ଯାଉ
କୁନିପୁଅ ବୁଝିଲା ଏ କଥା
ସେ ମାଆଙ୍କୁ କହିଲା
ତୁମେ ନିତ୍ଯଦିନ ପଥର ଗୋଟିଏକୁ ଦେବତାଟିଏ ଭାବି
ପୂଜା କରିବା ବୃଥା।
ଦେଖ !
ଆଜି ସୋମବାର ପୂଜାକଲ ଶିବଙ୍କୁ
ଆସନ୍ତା କାଲି ମଙ୍ଗଳବାର ହେବ
ପୂଜା କରିବ ନିଶ୍ଚୟ ମାଆ ମଙ୍ଗଳା କି ତାରିଣୀଙ୍କୁ
ଏହିପରି ଆଉ ଆଉ କେତେ…
ଠାକୁର ତୁମ ଦୃଷ୍ଟିରେ ଆସନ୍ତି
ଯିଏ ଖାଇବାକୁ ଚାହଁନ୍ତି କି ନାହିଁ କେଜାଣି
ତୁମେ କିନ୍ତୁ ଢାଳିଦିଅ ନୈବେଦ୍ଯକୁ।
ଏ ଘରେ ବାପାଙ୍କର ଇଛା ଓ ଆଶାକୁ ଟାଳୁଛ
ଯିଏ ଆମକୁ ଖାଦ୍ଯ,ବସ୍ତ୍ର ଓ ବାସଗୃହ ଯୋଗାନ୍ତି
ରାଗରେ କି ହିଂସାରେ ଗାଳି ଦେଉଥାଅ
ଯିଏ ଡାକିଲେ ଯଥାଶୀଘ୍ର ଶୁଣନ୍ତି
କହୁକହୁ ଆବଶ୍ଯକତାକୁ ବି ପୂରଣ।
ତୁମେ ବାପାଙ୍କର ଦାସୀ
ପ୍ରତିକ୍ଷଣ ସ୍ବାମୀ,ଗୁରୁ ଓ ଭଗବାନ ମଣିବା ନିହାତି ଦରକାର
କୁହାଯାଏ ଯେଉଁ ନାରୀର ସ୍ବାମୀ ଅଛନ୍ତି
ଆଉ କୌଣସିକୁ ପୂଜା କରିବା ହିଁ ବୃଥା,ନୁହେଁ…
ଯିଏ ସାକ୍ଷାତ ଦର୍ଶନ ଦେଉଛନ୍ତି
ପାଖେପାଖେ ରହୁଛନ୍ତି ଆମରି ମେଳରେ।
ଏ କଥା ଶୁଣି ଅଜା ନାତିକୁ କୁଣ୍ଢେଇ
ଲୁହ ବୁହାଇଲେ
କହିଲେ ଧନରେ !
ତୁ ହିଁ ବୁଝିଛୁ ଏକା ଧର୍ମର ସାରାଂଶ
ସବୁ ଧର୍ମ ଛାଡି଼ ମୋ ପାଖରେ ଶରଣ ନେବାର ଅର୍ଥ
ନାତି ଲୁହ ପୋଛିଲା ଅଜାଙ୍କର
ସେ ଜାଣି ନ ଥିଲା ଆଈ ବି
ମାଆଙ୍କ ପରି କଠୋର ହୃଦୟ
ହେଲେ ପଥର ଓ ମୂର୍ତ୍ତିକୁ ଦେଖିଲେ
ଧର୍ମଗୁଡା଼ ଓ ଠାକୁରଗୁଡା଼
ଠିଆ ହୁଅନ୍ତି ଗୁନ୍ଥି ବି ହୁଅନ୍ତି
ମନ ଆଇନାରେ।
ମାଆ ଓ ଆଈ ବୁଝିଲେ ଗୀତାର ତତ୍ତ୍ବକୁ
ଦୁହେଁ କୋଳେଇଲେ ନିଜ
ପାଞ୍ଚ ବର୍ଷର ଶିଶୁକୁ
ଯିଏ ବୁଝାଇ ଦେଲା
ଧର୍ମର ସାରାଂଶ।
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି, ମଣତା ଘଟଗାଁ, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?