Sahitya Jibana

Portal on odia literature

ସଂନ୍ଧ୍ୟାବେଳ ର ଅବୁଝା ତାନ୍ – ନିଶୀଥ୍ ଚକ୍ରବର୍ତ୍ତୀ

1 min read

କେହି ବୋଧେ ଶୁଣିପାରୁନଥିଲେ ,
ହୁଏତ ଏହା ବେରଙ୍ଗ ପାର୍ବଣ ର
ଝାପ୍ସା ପ୍ରଭାବ ଥିଲା ,
କିନ୍ତୁ ଡ଼ାକିଚାଲିଥିଲେ ତାନ୍ ଦେଇ
ବେଲୁନ୍….ବେଲୁନ୍…
ଭଜା ସୋଲା…ଝାଲମୁଢ଼ି….
ବାଏ ୱାନ…ଗେଟ୍ ୱାନ୍….
ଚାଟ୍….ଚାଟ୍….ସ୍ପେସାଲ୍ ଚାଟ୍…
କାହାର କଣ ଯାଏ ଆସେ ?
ଲାଗୁଥିଲା ଯେଇମିତି ବ୍ୟସ୍ତ ସଂନ୍ଧ୍ୟା
ର ଗାଡ଼ିମଟର ଆଉ ଇଂଜିନ୍ ମାନଙ୍କର
କେଁ କଟର ଭିତରେ ସେମାନଙ୍କର ପେଟ
ପାଇଁ ରୁଟି ସାଉଁଟିବାର ସୁମଧୁର ନାଦ ର ତାନ୍
କ୍ରମଶଃ ମିଳେଇ ଯାଉଥିଲା ।
ଅବଶ୍ୟ ବାବୁ ମାନେ ଲମ୍ବା ଲମ୍ବା
ଧଳା ନାଲି ନେଳୀ ହଳଦୀ କାର୍ ଭିତରେ
ବସି କାଚ ର ଫାଙ୍କ ଦେଇ ଦେଖୁଥିଲେ ,
କଣ ବୁଝୁଥିଲେ କେଜାଣେ ଏକ
ଅନ୍ଧକାର ଛାୟା ଭିତର ଦେଇ
ପୁଣି ହଜିଯାଉଥିଲେ ଶହେ ସ୍ପିଡ୍ ରେ ,
ହଁ ମ ! ଯେଇମିତି ଭୁଲ୍ କଲାପରେ
ଲଜ୍ଜା ରେ ମୁହଁ ଲୁଚେଇ ପଳାନ୍ତି ସେଇମିତି ,
ଲଢେଇ ହୁଏ ବୁଦ୍ଧି ସହ ବିବେକ ର
ଜ୍ଞାନ ସହ କ୍ଷମତା ର
ଆଉ ମଣିଷପଣିଆ ସହ ଚାପ ର ।
ମୁଁ ଲକ୍ଷ କରିଛି ,
ସହର ଟା ଭି ସେଇମିତି ଗୁମ୍ ମାରି
ରହିଛି ,
ଗୋଟେ ଅଭିମାନିନୀ ଝିଅ ଟେ ପରି
ଲାଗୁଥିଲା ମୋ ସହର ରୁଷିଛି
ଆଉ ସେମାନଙ୍କୁ ନୁହେଁ ବରଂ
ଭିତରେ ଆମ ମାନଙ୍କୁ ଖୁବ୍ ଗାଳି କରୁଛି ,
ଆଉ ଆମ ପାରିବାପଣିଆ , ଦକ୍ଷତା କୁ ପ୍ରଶ୍ନ କରୁଛି ,
ଠିକ୍ ସଂନ୍ଧ୍ୟାର
ଭିଡ଼ ଭିତରେ କ୍ରମଶଃ ବିଲୀନ ହେଉଥିବା
ସେ ପେଟ ପାଇଁ ରୁଟି ସାଉଁଟୁଥିବା ନିରୀହ ,
ନିର୍ଲୋଭ ଆଉ ନିଷ୍ପାପ ଶବ୍ଦ ଭଳି ।
କାହାର କଣ ଯାଏ ଆସେ !
ଖାଲି ଯାହା କିଛି ସହର ର ଆଜନ୍ମ ପ୍ରେମୀ ଆଉ ପାର୍ବଣ କୁ ନିଜ ଜନ୍ମଦିନ ପାଳନ ଭାବିନେଇ ଉତ୍ସବ
ମନାଉଥିବା ଲୋକ ଗୁମୁରିଗୁମୁରି କାନ୍ଦେ… ସହରକୁ ବାରମ୍ବାର ଭୁଲ୍ ମାଗେ …
ଆଉ ଆସନ୍ତା କାଲି ପାଇଁ ସ୍ୱପ୍ନ ଦେଖେ ।
===================================

ନିଶୀଥ୍ ଚକ୍ରବର୍ତ୍ତୀ
କାହ୍ନାଇ ଭବନ , ଗୁଲନଗର , କେନ୍ଦ୍ରାପଡ଼ା

Copyright © Sahitya Jibana | Newsphere by AF themes.
Open chat
Hello
How can you help we?