ଶରତ ଋତୁରେ ପ୍ରକୃତି ହସୁଛି – ସୁକାନ୍ତ ଖଣ୍ଡା
1 min read
ଶରତ ଋତୁରେ ପ୍ରକୃତି ହସୁଛି
ଆକାଶର ନିର୍ମଳତାରେ
ନଦୀ ଜଳର ସ୍ବଚ୍ଛତାରେ
ଜହ୍ନର ଶୀତଳ ଜ୍ଯୋତ୍ସ୍ନାରେ
ଆଉ ଜହ୍ନି ଫୁଲର ହସହସ ବଦନରେ।
ଦେଖ !
ଏ ଶରତ ବି ପାର୍ବଣ ଆଣିଛି
ବୁଣି ଦେବାକୁ ହସର ଲହଡି଼
ପ୍ରତି ହୃଦେ ଗୋଟେ ଗୋଟେ ସନ୍ତୋଷର ସୂର୍ଯ୍ଯ
କାମନାରେ ନଗ୍ନତା ଏଠି ବି ଛାଇ ଆଲୁଅରେ।
ଶରତ ଭରି ଦେଇଛି ଫୁଲର ସମ୍ଭାର
ପାର୍ବଣର ମହମହ ସୁରଭି
ପାଚିଲା ଧାନର ନହକା ନହକା କିରିକିରି କ୍ଷେତ
କୃଷକର ବ୍ଯାକୁଳତା ଏଠି କର୍ମରେ କର୍ମରେ।
ପାହାଡ଼ ସଜେଇ ହୋଇଛି ସବୁଜିମା
ନଈର କୁଳୁକୁଳୁ ନୃତ୍ଯରେ
ପବନର ସାଇଁସାଇଁ ଗୀତ ନୀରବତାରେ
ସମୁଦ୍ର ବି ଚହଲାଇ ଦିଏ ତା’ ମନ ଆଇନାରେ
ଆଉ ଆମକୁ ଏ ମନର ବର୍ଷାରେ ବି
ଝରି ପଡି଼ବାକୁ ହେବ
ଭିଜି ଦେଖିବାକୁ ସୁନେଲି ସ୍ବପ୍ନ
ଉପଭୋଗ ପାଇଁ ପୂର୍ଣ୍ଣତା,ପ୍ରସ୍ତୁତି ଓ
ଭ୍ରମଣର ପର୍ବରେ।
ସତରେ !
ଶରତ ଋତୁରେ ପ୍ରକୃତି ହସୁଛି
ଦେଇ କାମନାର ସବୁଜ ବହଳ ଯୌବନ
ଯାହାକୁ ଉପଭୋଗ କରିବାକୁ ଆସନ୍ତୁ
ଯେତେକ ରହିଛ ଏଠି ପ୍ରକୃତି ପ୍ରେମିକ
ହୃଦୟରୁ ଫିଙ୍ଗିଦେଇ ସବୁ ନିର୍ଯ୍ଯାସ
ଆଉ ରାଗ,ଦୁଃଖ ଅଥବା ଶୋକ।
***
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା, ଘଟଗାଁ କେନ୍ଦୁଝର