Sahitya Jibana

Portal on odia literature

ମୋ ମାଆ – ପ୍ରଭାତ କୁମାର ମଲ୍ଲିକ

1 min read

 

ମାଆଟି ମୋର ଭାରି ନିଜର
ମୋ ମାଆ ପରି କିଏ ହେବ,
ଖାଇ ନଥିଲେ ଖୁଆଇ ଦେଇ
ମୋ ମୁହଁ ହାତ ପୋଛିଦେବ ।
ଶୋଇବା ଶେଯେ ଗପ କହିସେ
ମୋ ମଥା ଥାପୁଡାଇ ଦେବ ,
ସେନେହ ତାର ଅମୃତ ସମ
ମୋ ମାଆ ପରି କିଏ ହେବ ।।

ରୋଗ ଶଯ୍ଯାରେ ପଡଇ ଯେବେ
ସେ ରାତ୍ରି ଉଜାଗର ହେବ ,
ସେବା ଶୁଶ୍ରୂଷା କରିକରି ସେ
ମୋ ରୋଗକୁ ହଟାଇ ଦେବ ।
ମୋ ସୁସ୍ଥ ପାଇଁ ଉପାସ ବ୍ରତ
କେତେ ଦିଅଁ ସେ ମନାସିବ,
ସେବାଟି ତାର ପଥିର ସମ
ମୋ ମାଆ ପରି କିଏ ହେବ ।।

ଘୃଣା ନକରି ମୋ ମଳମୂତ୍ର
ସର୍ବଦା ସେ ସଫା କରିବ,
ବିପଦ ମୋର ପାଶେ ନଆସୁ
ସେଲାଗି ସେ ଜାଗ୍ରତ ଥିବ ।
ମୋ ପାଇଁ ସିଏ କଳି କରିକି
କେତେ ଦରବ ଆଣୁଥିବ,
ଭୟ ନଥାଏ ମୋପାଶେ ଥିଲେ
ମୋ ମାଆ ପରି କିଏ ହେବ ।।

ପାଠ ପଢାକୁ ଶିକ୍ଷକ ପରି
ମୋତେ ସଦା ସେ ଜଗିଥିବ,
ଯେଉଁଠି ଥିବ ତ୍ରୁଟି ବିଚ୍ୟୁତି
ସେ ସଂଶୋଧନ କରିଦେବ ।
ଅବୁଝା ହେଲେ ହାତ ଧରିସେ
ମୋତେ ପାଠ ବୁଝାଇ ଦେବ ,
ପ୍ରଥମ ଗୁରୁ ସିଏ ମୋହର
ମୋ ମାଆ ପରି କିଏ ହେବ ।।

ସଂସାର ମଧ୍ଯେ ତାର ସନ୍ତାନ
କେମିତି ସୁ-ମଣିଷ ହେବ,
ମହାପୁରୁଷ କାହାଣୀ ଗପ
ମୋତେ କେତେ ଶୁଣାଉ ଥିବ ।
ସଂସ୍କାର ପାଇଁ ନିଇତି କେତେ
ସାଧୁବାଣୀ ମୋତେ କହିବ,
ବଚନେ ତାର ଝରଇ ମଧୁ
ମୋ ମାଆ ପରି କିଏ ହେବ ।।

ତା’ଠାରୁ ଟିକେ ଅନ୍ତର ହେଲେ
ଚଉଦିଗ ଖୋଜି ଆସିବ,
ପାଖେ ଦେଖିଲେ ପେଟଟି ତାର
ଆନନ୍ଦରେ ପୂରି ଉଠିବ ।
ବଢଇ ଯେତେ ତଥାପି ମୋତେ
ଛୋଟ ବୋଲି ସେ ଭାବୁଥିବ,
ଅଳି ଅର୍ଦ୍ଦଳି ସବୁ ସହଇ
ମୋ ମାଆ ପରି କିଏ ହେବ ।।

ଶିକ୍ଷକ କବି- ପ୍ରଭାତ କୁମାର ମଲ୍ଲିକ

ଶିବପୁର, ଧାମନଗର, ଭଦ୍ରକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?