ମନରେ ଅଛି ମୋ ମା ଦୁର୍ଗା – ନିକୁଞ୍ଜ କୁମାର ଘୋଷ
1 min read
ମାଁ ଏକ ସୁମଧୁର ଶବ୍ଦ ।ଏ ଶବ୍ଦର ଭାବାର୍ଥ ଏତେ ପ୍ରଶସ୍ତ,ଏତେ ବ୍ୟାପ୍ତ କଳନା କରିବା ସମ୍ଭବ ନୁହେଁ କିମ୍ବା ଭାଷାରେ ସଂପୂର୍ଣ୍ଣ ବର୍ଣ୍ଣନା କରିବା ଅସମୀଚିନ ମନେ ହୁଏ ।ସେଥିପାଇଁ ସବୁବେଳେ ମନରେ ଅଛି ମୋ ମା ଦୁର୍ଗା । ସିଏ ମା ଆଦିଶକ୍ତି ମା ଦୁର୍ଗା ,ମୋ ମନ ସିଂହାସନରେ ସଦା ସର୍ବଦା ବିରାଜିତା ଓ ପୂଜିତା ।
ଏ ଧରା ପୃଷ୍ଠ ଯେତେବେଳେ ଅନ୍ୟାୟ, ଅଧର୍ମ, ପାପରେ ଥରହର ହୁଏ ସେତେବେଳେ କେହି ନା କେହି ଆଦିଶକ୍ତି ମାତୃଶକ୍ତି ରୂପେ ଅବତୀର୍ଣ୍ଣ ହୋଇ ଏ ଧରା ପୃଷ୍ଠକୁ ପାପ ମୁକ୍ତ କରିଥାନ୍ତି । ଠିକ୍ ଯେମିତି ମହିଷାସୁରର ଅନ୍ୟାୟ ଅତ୍ୟାଚାରରେ ଦେବଗଣ ଅତିଷ୍ଠ ହୋଇ ବ୍ରହ୍ମା ଓ ବିଷ୍ଣୁଙ୍କୁ ସ୍ମରଣ କଲେ ଏବଂ ସମସ୍ତ ଦେବାଦେବୀଙ୍କ ଦିବ୍ୟଜ୍ୟୋତିରୁ ସମ୍ଭୁତ ହେଲେ ଜଗତଜନନୀ ମା ଦୁର୍ଗା, ଦୁର୍ଗତିନାଶିନୀ ।ବିଭିନ୍ନ ଦେବାଦେବୀଙ୍କ ପ୍ରଦତ୍ତ ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ହେଲେ ମା ଦୁର୍ଗା ।ମା’ର କମଳ ହୃଦୟକୁ ହୃଦୟରେ ଚାପି ରଖି ଉଗ୍ର ରୂପ ଧାରଣ କରି ସୃଷ୍ଟିର ରକ୍ଷା କରି ଧର୍ମ ପ୍ରତିଷ୍ଠା ପାଇଁ ସଂକଳ୍ପବଦ୍ଧ ହେଲେ । ଦାନବଗଣ ଚଣ୍ଡମୁଣ୍ଡ , ଶମ୍ଭୁ ନିଶମ୍ଭୁ ଆଦି ନିଧନ କରି ଦାନବ ଶ୍ରେଷ୍ଠ ମହିଷାସୁରକୁ ହତ୍ୟା କରି ଜଗତରେ ଶାନ୍ତି ପ୍ରତିଷ୍ଠା କରିଥିଲେ ମା ଅଗ୍ନିସମ୍ଭୁତା, ଦଶଭୂଜା ମା ଦୁର୍ଗା । ଏଣୁ ସେ ଚିର ବନ୍ଦନୀୟା, ଚିର ପୂଜନୀୟା ଜଗତଜନନୀ ଜୟ “ମା ଦୁର୍ଗା” ।
=====0====
ନିକୁଞ୍ଜ କୁମାର ଘୋଷ
ସା-ମାଧବପୁର, ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର ,ଜିଲ୍ଲା-ବାଲେଶ୍ବର, ଓଡିଶା ,ପିନ୍-756032 ,ମୋ-8144851045