Sahitya Jibana

Portal on odia literature

ଦୁର୍ଗତି ନାଶିନୀ ମା – ସୁକାନ୍ତ ଖଣ୍ଡା

1 min read

ଶରତ ଆକାଶୁ ଓହ୍ଲାଇ ଆସିବ ଭକତଙ୍କ ଡାକ ଶୁଣି
କାଶତଣ୍ଡି ଫୁଲ ଚାମର ଢାଳିବ ଦୋହଲି ଦେଖାଇ ଠାଣି।
ସାଇଁସାଇଁ କରି ଗୀତକୁ ବୋଲିବ ପବନର ଭାରି ଇଛା
ଆଲୋକ ମାଳାରେ ସଜେଇ ବସିବ ସୂର୍ଯ୍ଯ ଆସୁଛନ୍ତି ପିଛା।
ବୁଢା଼ ପାହାଡଟା ଅନେଇ ରହିଛି ଆସିବା ହେଉଛି ଡେରି
କୁଳୁକୁଳୁ ଅଙ୍କାବଙ୍କା ନଈ ନାଚେ ତୁମକୁ ହିଁ ଝୁରିଝୁରି।
ଦୂର ଦିଗବଳୟ ଆନନ୍ଦେ ହସୁଛି ବଦଳାଇ ନାନା ରଙ୍ଗ
ସମୁଦ୍ରର ଠାଣି ପଡୁଛି ଉଠୁଛି କିଏ ସୃଜିଛି ତରଙ୍ଗ।
ଜଙ୍ଗଲ ସୁନ୍ଦର ସଜେଇ ହୋଇଛି ଅପରୂପା ବେଶ ଧରି
ପକ୍ଷୀକୁଳ ସଦା କିଚିରି ମିଚିରି ଗୀତ ଭାସେ ଧିରିଧିରି।
ଜଙ୍ଗଲର ପଶୁଗଣ ଆଜିକାଲି ଅନେଇ ରହନ୍ତି ତୋତେ
ତୋ ଆସିବା କିଆଁ ଉଚ୍ଛର ହେଉଛି ଆସୁନ ଶୀଘ୍ର ମରତେ।
ପ୍ରାଣୀ ଓ ଉଦ୍ଭିଦ ସଂସାର ହାଟରେ ତୋର ଆଗମନ ପାଇଁ
ନିଜ ସାଧ୍ଯ ମତେ କରମ କରକି ଆକୁଳେ ଅଛନ୍ତି ଚାହିଁ।
ଏ ମାନବ ଆଜି ସଦାବେଳେ ତୋତେ ଆବାହନ କରିବାକୁ
ରଙ୍ଗର ରୋଷଣୀ ପାଇଁ ସଜବାଜ ମନ ଶାନ୍ତି କରିବାକୁ।
ଏତେ ସତ୍ତ୍ବେ ମାଆ ଉଚ୍ଛର ନ କରି ଯଥାଶୀଘ୍ର ଚାଲିଆସ
ମନ ମଇଳାକୁ ଆହୁତି ଦେବାକୁ ଭାରି ହେଉଛି ଲୋ ଶୋଷ।
ମନ ଫୁଲ ଧରି ସବୁ ରୋଗ ଶୋକ ହଟାଇ ଦେବୁ ଲୋ ତୁହି
ଆନନ୍ଦେ ଯେମିତି ତୋର ନାମ ଗାଇ ହସିବ ଆମ ଏ ମହୀ।
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା, ଘଟଗାଁ, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?