ସଂଦେହ – ନୃସିଂହ ରାଉତ
1 min read
ଯେତେ ସଂତର୍ପଣରେ
ସାଇତିବାକୁ ଚେଷ୍ଟା କରିଛି
ସେତେଥର ହାତ ପାପୁଲିରୁ
ଖସିଯାଇଛି ସବୁକିଛି ସମ୍ପର୍କର
ଲମ୍ବା ତରାଜୁରେ କେବେବି
ମାପି ପାରିନି ତୁମର ଅସ୍ଥିତ୍ଵ।।
ଖୁବ୍ ତାଛଲ୍ୟ ଓ ଅଭିମାନରେ
ଶୋଇ ରହି ମନମାରି ଯିଇଁଛି
ନିରବରେ, ସ୍ବାର୍ଥରେ ଅନ୍ଧ ପାଲଟିଥିବା
ସମୟ ଭୁଲିଯିବାର ମନ୍ତ୍ରରେ
ଅଭିମନ୍ତ୍ରିତ ସମସ୍ତେ ।।
ହାଏ,,,,,,,,,,,,,
ଏକି ତତଲା ଦୀର୍ଘଶ୍ବାସ
ଏମିତି କାହିଁକି ଏକ ଭିନ୍ନ ଗଣତନ୍ତ୍ର
ଅଜାଡି ଦେଉଥିବା ଆପଣାପଣରେ
ଯେତେସବୁ ଉଜୁଡ଼ା ହସ୍ତାକ୍ଷର,
ବିଶ୍ବାସଟା ଫଟାକାନ୍ଥର ଚିତି ସାପ ବସା
ପାରିଲା ପଣରେ ହାରିଯାଏ ଅନେକ ଆୟୁଷ ।।
ଏବେ ଏଠି,
ଭାଙ୍ଗି ପଡୁଥିବା ନିରୋଳା ପଣରେ
ଯେତେସବୁ ସମ୍ପର୍କର ଫୁଲ
ସଂଜ ଆଳତିରେ ଶୁଭମନାସୀ
ଏକ ଆଶ୍ବସ୍ତିରେ ଭାବେ
ନିଶ୍ଚୟ ଠିକ୍ ହୋଇଯିବ ସବୁକିଛି
ଆଉ ଯେତେସବୁ ହୀନମନ୍ୟତା ।।
ହେଲେ ଘନେଇ ଆସୁଥିବା
ମେଘୁଆ ଆକାଶ ଭିତରେ
ଦିପ୍ରହର ଲୁଚିଯାଏ ଦିଗବଳୟର କଡେକଡେ
ମୂହୁର୍ତ୍ତର ବାଳସୂର୍ଯ ବୁଢାହୋଇ ସାରିଥାଏ କେବେଠୁ
ପୁଣି ଅନ୍ଧାର ଭିତରେ ଆରମ୍ଭ ହୋଇଯାଏ
ଆଉ ଏକ ସାପ,ସିଢିର କାଳରାତ୍ରୀ।।
*********************
ନୃସିଂହ ରାଉତ (ପୱନ)
ରାଜକନିକା, କେନ୍ଦ୍ରାପଡା
ମୋ-7682969700