Sahitya Jibana

Portal on odia literature

ଶିବଙ୍କ ପୂଜାରେ ବେଲପତ୍ର – ଅନ୍ତର୍ଯ୍ୟାମୀ ସାହୁ

1 min read

 

ସପ୍ତବାର ମଧ୍ୟେ ଅଟେ ସୋମବାର
ଶିବଙ୍କର ପ୍ରିୟ ଦିନ,
ସେ ଦିବସେ ଯିଏ ବିଲ୍ଵଦଳ କରେ
ହରଙ୍କ ଲିଙ୍ଗେ ଅର୍ପଣ ।୧।
ଶ୍ରାବଣ ମାସରେ ଅବା ଶିବରାତ୍ରୀ
କିମ୍ବା ଚତୁଃର୍ଦ୍ଦଶୀ ଦିନ ,
ଭକ୍ତିପୁତ ଭାବେ ଶିବଙ୍କର ଶିରେ
ଚଢ଼ାଅନ୍ତି ଯେଉଁ ଜନ । ୨।
ସେହି ଏକା ଧନ୍ୟ ଧନ୍ୟ ତା ଜୀବନ
ଧନ୍ୟ ଶିବଭକ୍ତ ସେହି ,
କି ଉପମା ଦେବା ସେହି ମନୁଷ୍ୟର
ଅନ୍ତେ ଶିବଲୋକ ପାଇ ।୩।
କେଉଁ ଭାବେ ବିଲ୍ଵ ହରଙ୍କର ପ୍ରିୟ
କିଞ୍ଚିତ ପ୍ରକାଶ କରେ,
ସ୍କନ୍ଦ ପୁରାଣର ବର୍ଣ୍ଣିତ କାହାଣୀ
ଦୋଷ ମୋ ନଧର ବାରେ ।୪।
ଦିନେ ମାତା ଗୌରୀ ଗିରୀ ଶିଖରରେ
ଏକାନ୍ତରେ ଥିଲେ ବସି,
ରୁଦ୍ରଙ୍କର ତାପ ଅସହ୍ୟ ହେବାରୁ
ଝାଳବୁନ୍ଦା ପଡ଼େ ଖସି । ୫ ।
ଜଗଦମ୍ବାଙ୍କର ଶରୀରୁ ନିର୍ଗତ
ଝାଳବୁନ୍ଦା ପଡିବାରୁ,
ମନ୍ଦରାଚଳ ଗିରୀଶିଖରେ ପଡନ୍ତେ
ତହିଁରୁ ଉତ୍ପନ୍ନ ତରୁ । ୬।
ସେ ତରୁର ନାମ ଅଟଇ ଟି ବିଲ୍ଵ
ଶଙ୍କରଙ୍କ ପ୍ରିୟ ଅତି,
ଯେନେଇ ଚଢ଼ାଏ ନିତ୍ୟ ଶିବ ଶିରେ
ଅନ୍ତେ ଶିବଲୋକ ପ୍ରାପ୍ତି ।୭।
ମୂଳରେ ଗିରିଜା ହୃଦେ ମାହେଶ୍ଵରୀ
ଶାଖାରେ ଦକ୍ଷିଣାୟନୀ,
ପତ୍ରରେ ପାର୍ବତୀ ରୂପରେ ବସନ୍ତି
ଫଳପରେ କାତ୍ୟାୟନୀ ।୮।
ଫୁଲପରେ ଗୌରୀ ସ୍ଵରୂପ ନିବାସ
ସାରା ବୃକ୍ଷ ଗୌରୀମୟ,
ବିଳ୍ବପତ୍ରେ ପାର୍ବତୀଙ୍କ ପ୍ରତିବିମ୍ବ
ଏଣୁ ମହେଶଙ୍କ ପ୍ରିୟ ।୯।
ମହେଶଙ୍କ ପ୍ରିୟ ଅଟନ୍ତି ପାର୍ବତୀ
ସ୍ଵରୂପ ହିଁ ବିଲ୍ଵ ବୃକ୍ଷ,
ପାର୍ବତୀ ରୂପରେ ସନୁଷ୍ଟ ହୋଇଣ
ବର ଦିଅନ୍ତି ପ୍ରତ୍ୟକ୍ଷ । ୧୦।
ଶ୍ରଦ୍ଧା ବିଶ୍ଵାସର ପ୍ରତୀକ ଠାକୁର
ଅଟନ୍ତି ଭୋଲା ମହେଶ ,
ଶ୍ରୀପଦେ ଶରଣ ପଶିବା ଯାଇଣ
କଳ୍ମଷ ହୋଇବ ନାଶ । ୧୧ ।
କ୍ଷମାକର ଦୋଷ ହେ ଭୋଲା ମହେଶ
କୃପାକର ଅଧମରେ,
ଦିଅ କୃପାବାରି ଆହେ ହରଗୌରୀ
ଶରଣ ଶ୍ରୀଚରଣରେ । ୧୨ ।

ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି

Leave a Reply

Copyright © Sahitya Jibana | Newsphere by AF themes.