ଜୀବନର ମୃଦୁ ବାର୍ତ୍ତାଳାପ – କୁମୁଦିନୀ ବେହେରା
1 min read
ଏ ଜୀବନ ଏକ ତୈଳଚିତ୍ରଟିଏ
ପ୍ରତି କାବ୍ୟ ନାୟକର
କଳ୍ପନା କୁମାରୀ ଭାବ ଅସୁମାରି
ରାଜବଧୂ ବୈଶାଳୀର l
ଜୀବନଟା ଏକ ଅମାବାସ୍ୟା ରାତି
ଜହ୍ନ ସ୍ମୃତି ଗନ୍ତାଘର
ଜୀବନଟା ଏକ ବର୍ଣ୍ଣାଳି ସନ୍ଧ୍ୟା
ପ୍ରୀତିର ମେଘମହ୍ଲାର l
ଜୀବନଟା ଏକ କୁଆଁରୀ ଓଠର
ଚାରୁ ଚନ୍ଦ୍ରକଳା ହସ
ଜୀବନଟା ଏକ ବିରହିଣୀ ପ୍ରିୟା
ଅସୁମାରି ଦୀର୍ଘଶ୍ୱାସ l
ଜୀବନଟା ଏକ ଲୁଚକାଳି ଖେଳ
ସପନର ବାଲିଘର
ଜୀବନଟା ପରା ତାଳ, ଲୟ, ଛନ୍ଦେ
ସଙ୍ଗୀତର ସାତ ସୁର l
ଜୀବନଟା ଏକ ଅଧା ଲେଖା ଚିଠି
ଲେଖିଲେ ସରଇ ନାହିଁ
ଜୀବନଟା ଏକ ଅକୁହା କାହାଣୀ
ଆରମ୍ଭ କି ଶେଷ ନାହିଁ l
ଜୀବନଟା ଏକ ଅନୁରାଗ ଭରା
ଦୁଇ ହୃଦୟ ଝଙ୍କାର
ଏ ଜୀବନ ରଙ୍ଗମଞ୍ଚ ଅଭିନେତ୍ରୀ
ନର୍ତ୍ତକୀ ରଙ୍ଗଶାଳାର l
ଜୀବନଟା କେଉଁ ଯମୁନା ତୀରରେ
ରାଈର ଦିଟୋପା ଲୁହ
ଏ ଜୀବନ କେଉଁ ଆଷାଢ଼ ରାତିରେ
ଦରଦୀ ଯକ୍ଷର କୋହ l
ଜୀବନଟା ଖାଲି ସାଗର ବେଳାର
ଭଙ୍ଗାଗଢ଼ାର ଜୁଆର
ବେଳାଭୂମି ଯା’ର ନିରେଖି ଦେଖିଛି
ଲୁକ୍କାୟିତ ଅଭ୍ୟନ୍ତର l
ଅର୍ଦ୍ଧବିକଶିତ କଳି ଏ ଜୀବନ
ପାଖୁଡ଼ାର ସମାହାର
ପୁଣି ନିୟତିର ଅନୁକ୍ରମଣିକା
ସମ୍ଭ୍ରମ ବିଧାତାଙ୍କର ll
କୁମୁଦିନୀ ବେହେରା, ଅନୁଗୋଳ