Sahitya Jibana

Portal on odia literature

ହେ କୃଷ୍ଣ – ଡ଼. ପଦ୍ମଲୋଚନ ରାଉତ

1 min read

 

ହେ କୃଷ୍ଣ ! ଅବତରି ଆସ ବାରେ
ଧରଣୀର ବକ୍ଷ ପରେ ଆଜି
ଆଗମନେ ହସିଉଠୁ ଧରା
ଲୋଭ -କ୍ରୋଧ -ଅହଂକାର ତେଜି
ଧର୍ମ ସଂସ୍ଥାପନେ…
ଯଦା ଯଦା ହି ଧର୍ମସ୍ୟ ଶୁଭି ଉଠୁ
ପ୍ରତି କ୍ଷଣେ ପ୍ରତି ପ୍ରାଣେ l 1

ପାପର ବିନାଶ ପାଇଁ ଯୁଗେ ଯୁଗେ
ଧରି ଅବତାର
ଜନ୍ମି ଅଛ ତମେ ପ୍ରଭୁ
ଆଜି କିନ୍ତୁ ବଢେ ପାପ ଭାର
ତଵ ଜନ୍ମଦିନେ
ହଟି ଯାଉ ଅନ୍ଧକାର
ଶାନ୍ତି ଆସୁ ଏ ମର୍ତ୍ତ୍ୟ ଭୁବନେ l 2

ଶତ ଶତ କଂସର ପ୍ରଭାବେ
ଜଳୁ ଅଛି ଅଶାନ୍ତିର ନିଆଁ
ଧର୍ମ ଆଜି କାନ୍ଦୁଅଛି
ଅତ୍ୟାଚାରୀ ହସୁଅଛି କିଆଁ ?
ହେ କୃଷ୍ଣ ପ୍ରାଣ ସଖା
ବିନାଶର ମହାପର୍ବେ
ଆଉ ବାରେ କେବେ ଦିଅ ଦେଖା ! 3

କାରାଗାରେ ଜନ୍ମି ତମେ
ମୁକ୍ତ କଲ ସକଳ ଜନତା
ହେ ନାଥ କରୁଣାର ସିନ୍ଧୁ
ସତ୍ୟ -ଶାନ୍ତି -ଅହିଂସା ବଳିତା
ମଥୁରାରେ ଶୁଭୁଛି କ୍ରନ୍ଦନ
ଅସହାୟ ବାସୁଦେବ-ଦେବକୀର
ହୃଦୟ ଚନ୍ଦନ l 4

ଗୋପରେ ବଢିଛ ତମେ
ଭାଙ୍ଗି ଅଛ କେତେ ଦଧି ହାଣ୍ଡି
ନନ୍ଦ କୋଳେ ତୁ ଗୋବିନ୍ଦ
ଭାଦ୍ରବରେ ହସେ କାଶ ତଣ୍ଡି
କୁଞ୍ଜ ବନେ ପ୍ରିୟତମା
ମୁରଲୀର ଡାକ ଶୁଣି
ଅଙ୍ଗ ସଙ୍ଗେ ସଦା ଆନମନା l 5

ହେ କୃଷ୍ଣ ! ପ୍ରାଣ ପ୍ରିୟ ସଖା
ଧରା କରେ ତଵ ଆବାହନ
ଅହଙ୍କାରୀ କଂସାସୁର
ଦେଖ, ନାଶେ ସହସ୍ର ଜୀଵନ
ଆସ ଅବତରି
ରକ୍ଷା କର ବାରେ ଧରଣୀକୁ
ନାଶି ଗର୍ବୀ -ଦର୍ପି -ଅହଙ୍କାରୀ !! 6

ଡ଼. ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର 

Leave a Reply

Copyright © Sahitya Jibana | Newsphere by AF themes.