ରକ୍ଷାବନ୍ଧନ – ପ୍ରଜ୍ଞାଲୀନ ସାହୁ
1 min read
ଓଡିଶା ଏପରି ଏକ ରାଜ୍ୟ, ଯୋଉଠି ବାରମାସରେ ତେର ପର୍ବ ଏବଂ ସେଥିମଧ୍ୟରୁ ଏଇ ରକ୍ଷାବନ୍ଧନ ଅନ୍ୟତମ | ଏହି ପର୍ବଟି ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ପାଳିତ କରାଯାଏ | ସାଧାରଣତଃ ଏହି ପର୍ବଟି ଭାଇ ଭଉଣୀ ସମ୍ପର୍କର ମାନକୁ ବୁଝାଏ ଆଉ ସେ ସମ୍ପର୍କକୁ ଏମିତି ଏକ ସ୍ନେହ ଡୋରରେ ବାନ୍ଧିଦିଏ । ଯୋଉଠି ସବୁ ମାନ ଅଭିମାନର ମୁହଁ ଫିକା ପଡ଼ିଯାଏ | ଭଉଣୀ ବର୍ଷକ ସାରା ଅନେଇ ଥିବ ଏହି ଦିନକୁ, କେବେ ଏହି ଦିନ ଆସିବ ଆଉ ସେ ଭାଇ ହାତରେ ରାକ୍ଷୀ ବାନ୍ଧି ତା’ ଭାଇର ଶୁଭ ମନାସିବ ଏବଂ ରାକ୍ଷୀ ପାଉଣା ମାଗିନେବ ନିଜକୁ ଦୁନିଆର କୁସଙ୍ଗ ଠାରୁ ବଞ୍ଚାଇବା ଲାଗି ସୁରକ୍ଷା କବଚ, କାରଣ ଭଉଣୀର ବିଶ୍ୱାସ ପୁରାଣ ଓ ଇତିହାସରେ କଥିତ ଅଛି । ଏହି ଦିନ ଭଉଣୀ ଯମୁନା ଯମଙ୍କ ହାତରେ ରାକ୍ଷୀ ଭିଡି ଯମ ଯନ୍ତ୍ରଣାରୁ ରକ୍ଷା ପାଇଥିଲେ ଏବଂ ସେହିପରି ରାଜପୁତ ରାଣୀ ମୋଗଲ ସମ୍ରାଟ ହୁମାୟୁନଙ୍କ ପାଖକୁ ରାକ୍ଷୀ ପଠାଇ ତାଙ୍କର ସହଯୋଗ କାମନା କରିଥିଲେ |
ଏହି ଦିନ ମଧ୍ୟ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ହୋଇଥିଲା | ସେଥିପାଇଁ ଏହି ଦିନକୁ ବଳଭଦ୍ର ଜନ୍ମ ଓ ଗହ୍ମାପୂର୍ଣ୍ଣିମା ବୋଲି କୁହାଯାଏ | ତେଣୁ ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମହାଆଡମ୍ବର ସହିତ ଗହ୍ମା ପର୍ବଟି ପାଳନ କରାଯାଏ | ଏହି ଉତ୍ସବ ଅବସରରେ ମଧ୍ୟ ପାଟରା ବୈସ୍ୟ ମାନଙ୍କର କୌଳିକ ପୂଜା ଅନୁଷ୍ଠିତ ହୁଏ ଏବଂ ଗ୍ରାମେ ଗ୍ରାମେ ପ୍ରଭୁ ବଳଭଦ୍ରଙ୍କ ଜନ୍ମକୁ ପାଳନ କରିବା ଲାଗି ଗୋମାତାଙ୍କ ବାସ ସ୍ଥାନକୁ ଗୋବରରେ ଲିପି । ସେଇ ସ୍ଥାନରେ ଭିନ୍ନ ଭିନ୍ନ ଝୋଟି ପକାଇ ଗୋମାତାଙ୍କୁ ପୂଜା ଅର୍ଚ୍ଚନା କରି ସେମାନଙ୍କ ଗଳାରେ ରାକ୍ଷୀ ପିନ୍ଧାଇ ଏଣ୍ଡୁରି ପିଠା ଓ ମିଠା ଖାଇବାକୁ ଦିଆଯାଏ |
କଥାରେ ଅଛି ପ୍ରଚୀନ କାଳରେ ଦେଶବାସୀଙ୍କୁ ରକ୍ଷା କରିବା ଲାଗି କ୍ଷତ୍ରିୟ ଓ ଖଣ୍ଡାୟତ ମାନେ ଦାୟିତ୍ୱ ନେଇଥିଲେ, ସେଥିପାଇଁ ବ୍ରାହ୍ମଣ ମାନେ ସେମାନଙ୍କ ହାତରେ ରକ୍ଷା କବଚ ବାନ୍ଧୁଥିଲେ | ଏହି ପ୍ରାଚୀନ ପରମ୍ପରାଟି ଏବେ ବି କେତୋଟି ଗ୍ରାମ ଅଞ୍ଚଳରେ ଦେଖିବାକୁ ମିଳେ, ଯେପରିକି ସନ୍ଧ୍ୟା ଆସିଲେ ଗ୍ରାମର ପୁରହିତ ଗୋଟେ ରକ୍ଷା କବଚ ଘରର ପୁଅଙ୍କୁ ପିନ୍ଧାଇ । ନିଜ ପାଉଣା କବଚ ଲାଗି କିଛି ଡାଲି ଚାଉଳ, ପରିବା ନିଅନ୍ତି |
ଏହି ଦିନକୁ ରକ୍ଷାପୂର୍ଣ୍ଣିମୀ ବୋଲି କୁହାଯାଏ, କାରଣ ଧର୍ମାନୁସାରେ ଶ୍ରାବଣ ପୂର୍ଣ୍ଣିମାରେ ସୌର ଜଗତର ସମସ୍ତ ଗ୍ରହ ପୃଥିବୀ ଉପରେ ଆକ୍ରମଣ କରିଥିଲେ ଏବଂ ସେହି ସମୟରେ ପୃଥିବୀ ନିଜକୁ ରକ୍ଷା କରିବା ପାଇଁ ଚନ୍ଦ୍ରଙ୍କ ହାତରେ ରାକ୍ଷୀ ପିନ୍ଧାଇଥିଲେ | ସେଥିପାଇଁ ସେଇ ଦିନଠୁ ଚନ୍ଦ୍ର ରକ୍ଷା କବଚ ସାଜି ପୃଥିବୀ ଚାରିପଟେ ଘୁରି ବୁଲୁଛନ୍ତି |
ଶେଷରେ କହିରଖିବି ଏହି ସୁନ୍ଦର ରକ୍ଷାବନ୍ଧନ ପରମ୍ପରାକୁ କେହି କଳଙ୍କିତ କରନ୍ତୁ ନାହିଁ, କାରଣ ଏହି ପର୍ବଟି ସ୍ନେହର ଯିଏ କି କ୍ଷଣିକେ ସବୁ ଅହଂ ରୋଷ ମାନ ଅଭିମାନକୁ ହରାଇ ତୁମକୁ ଜୀବନର ଏକ ସୁନ୍ଦର ସତ୍ୟ ସମ୍ପର୍କର ବନ୍ଧନରେ ଯୋଡିରଖିବ, ଯାହାକୁ କୋଉ ଧନ ରତ୍ନରେ କିଣା ଯାଇ ପାରିବ ନାହିଁ |
=================*****==========
ପ୍ରଜ୍ଞାଲୀନ ସାହୁ
ଜଗତସିଂହପୁର, ବାଲିକୁଦା