ସ୍ୱାଧୀନତା – ଡ଼. ପଦ୍ମଲୋଚନ ରାଉତ
1 min read
ସ୍ୱାଧୀନ ଦେଶର ସନ୍ତାନ ଆମେ
ନାହିଁ ଆମ ଡର – ଭୟ
ଫର ଫର ଉଡେ ଆଜି ବି ତ୍ରିରଙ୍ଗା
ଶୁଭୁଅଛି ଜୟ ଜୟ
ଆକୁମାରୀ ହିମାଚଳ
ଜନ -ଗଣ -ମନ ଗାଉଛି ଜନତା
ଏକତା ଆମରି ବଳ l 1
ସତ୍ୟ – ଅହିଂସା ପଥରେ ଆସିଛି
ଆମରି ଏ ସ୍ୱାଧୀନତା
କେତେ କେତେ ବୀର ନାଶିଛନ୍ତି ଶିର
ଇତିହାସ ଗାଏ ଗାଥା
ବାପୁଙ୍କ ଜୀଵନ ଦାନେ
ସ୍ୱାଧୀନ ମାଟିରେ ଫୁଟି ଥିଲା ଗୁଳି
ଏ କଥା କିଏ ନ ଜାଣେ ! 2
ରାଷ୍ଟ୍ରର ଏକତା ଏଇ ସ୍ୱାଧୀନତା
କ୍ରାନ୍ତିର ଗାଥା ଗାଇ
ହିନ୍ଦୁ -ମୁସଲମାନ -ଜୈନ -ଖ୍ରୀଷ୍ଟିଆନ
ସଭିଏଁ ଭାଇ ଭାଇ
ଧର୍ମ ଭେଦ ଭାବ ଭୁଲି
ଗୀତା, ବାଇବେଲ -କୋରାନ କହିଛି
ଈଶ୍ୱର ଏକ ବୋଲି l 3
ହଟିଛି ଫିରିଙ୍ଗ ଅନ୍ଧ ଶାସନ
ବଇରୀ ଯାଇଛି ଫେରି
ଫର ଫର ଉଡେ ତ୍ରିରଙ୍ଗା ପତାକା
ଶୁଭୁଛି ବିଜୟ ତୂରୀ
ସ୍ୱାଧୀନ ଭାରତ ବାସୀ
କହି କି ପାରିବ ତ୍ରିରଙ୍ଗାକୁ ଚାହିଁ
ହେଉଛନ୍ତି ଆଜି ଖୁସି ? 4
ସ୍ୱାଧୀନତା ଆଜି ଆସିଅଛି ସତ
ଆମେ ନୁହେଁ ସ୍ବେଛାଚାରୀ
ଅନ୍ୟାୟ -ଅନୀତି -ଶୋଷଣ -ଦୁର୍ନୀତି
ଯାଇଛି ଦେଶରୁ ଫେରି ?
ହସେ ନାହିଁ ପୁଞ୍ଜିପତି
ଭୋକ ଉପାସରେ ଶତ ନିପୀଡ଼ିତ
କାନ୍ଦନ୍ତିନି ଦିବା -ରାତି ?? 5
ଆଜି ବି ଶୁଭୁଚି ଲାଲ କିଲ୍ଲାରୁ
ଶତ ସିଂହର ବାଣୀ
ହୃତ ଗୌରବ ଫେରିବ କି କେବେ
ମଧୁର ଭାଷଣ ଶୁଣି
ମାଆ ମାଟିର ଡାକ
ଜାଗି ଉଠ ମୋର ସହସ୍ର ସନ୍ତାନ
ଘୁଞ୍ଚି ଯାଉ ବାରେ ଦୁଃଖ l 6
ସ୍ୱାଧୀନତା ମୋର ଅକ୍ଷୟ ସମ୍ପଦ
ପ୍ରଣମୁଛି ଶତ ବାର
ସତ୍ୟ -ଅହିଂସା ପ୍ରତୀକ ତ୍ରିରଙ୍ଗା
ଉଡୁଥାଉ ଫର ଫର
ଶପଥ ବଜ୍ର ମୋର
ଶାନ୍ତି ସଦଭାବ ପ୍ରଗତି ମନ୍ତରେ
ପ୍ରାଣ ହେଉ ଭରପୁର l 7
ଡ଼. ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର