ଖେଳ – ବିଦ୍ୟାଧର ପ୍ରଧାନ
1 min read
ପିଲାମାନଙ୍କର ଖେଳେ ଥାଏ ମନ
ପାଆନ୍ତି ଆହା କି ଖୁସି
ଖେଳିବାକୁ ସେ ଯେ ବାଟ ଖୋଜୁଥାନ୍ତି
ସୁଯୋଗ ମିଳିଲେ ଯାଆନ୍ତି ଖସି।
କେତେ ଯେ ଆକଟ କେତେ ଯେ ତାକିଦ୍
କିଛିରେ ତ ମାନେ ନାହିଁ
ଏଣୁତେଣୁ କହି ମନକୁ ଭୁଲାଇ
ଯାଆନ୍ତି ଖେଳିବା ପାଇଁ।
ପୁଚି, ବୋହୂଚୋରି,ବାସ୍କେଟ, କ୍ରିକେଟ
ଚେସ୍,କ୍ୟାରମ,କବାଡି
ଟେନିସ ,ଫୁଟବଲ,ବାଲି, ଧୂଳି ଖେଳ
ଦୋଳି ଖେଳ ଯେ କଉଡ଼ି।
ମଝିରେ ମଝିରେ ହୋନ୍ତି କଳି ଗୋଳ
ସେ କଳିର ମାନେ ନାହିଁ
ସାଙ୍ଗ ଯେତେବେଳେ ଯାଇ ଡାକି ଦିଏ
ମନ ପ୍ରଫୁଲ୍କିତ ତହିଁ।
କେତେ ମଜ୍ଜା ଲାଗେ ସରଗର ଖୁସି
ସତେ କି ହାତ ପାଆନ୍ତେ
ଖେଳ ବିନା ତା’ର ଜୀବନ ଅଧୁରା
ଭୂଲି ଯିବ ଅବା କେମନ୍ତେ।
ଯୁବକ ଯୁବତୀ କିଶୋର କିଶୋରୀ
ସମସ୍ତଙ୍କ ମନ ଖେଳେ
ସମୟ ପାଇଲେ ଖେଳେ ମାତି ଯାନ୍ତି
ପିଲାମାନଙ୍କର ମେଳେ।
ବୃଦ୍ଧ, ବୃଦ୍ଧା ମଧ୍ୟ ବାଦ୍ ପଡନ୍ତିନି
ସର୍ବେ ଯାନ୍ତି ଖେଳେ ମାତି
ଯେ ଥରେ ଖେଳିଛି ତା ମଜ୍ଜା ଚାଖିଛି
ଖେଳରେ ସତତ ମତି।
ଦେହ ଆଉ ମନ ସୁସ୍ଥ ରହିଲେ
ପାଠରେ ଲାଗିବ ମନ
ସ୍ବାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ
ଖେଳ ହିଁ ଗଢେ ଜୀବନ।
ବିଦ୍ୟାଧର ପ୍ରଧାନ
ମାଲୁଦ, କୃଷ୍ଣପ୍ରସାଦ, ପୁରୀ