Sahitya Jibana

Portal on odia literature

ଶ୍ରମିକ – ବିଦ୍ୟାଧର ପ୍ରଧାନ

1 min read

ଶ୍ରମ ଯା’ର ଧର୍ମ ସେ ବୁଝଇ ମର୍ମ
ଜୀବନ ସଂଗ୍ରାମେ ସଦା ଆଗୁସାର,
ସେହି ଯେ ମହାନ ସେହି ବଳିୟାର,
ସଂପାଦିତ କରେ ବହୁ କାର୍ଯ୍ୟଭାର,
ଗଢଇ ଦେଉଳ ଗଢେ ଅଟାଳିକା,
ଗଢଇ ସେ ରାସ୍ତା ନ କରିଣ ସଙ୍କା,
କରିଦିଏ ଜୁର କେତେ ଲହୋ ଶିଳା,
ଦେଖାଏ ସେ କେତେ ଦମ୍ଭ,
ଖମ୍ବ ପରି ସକ୍ତ ତା’ ବାହୁ ଯୁଗଳ,
ହାତୀ ପରି ତା’ର ବଳ ।
କହି ନୁହେଁ ତାହା କଥା,
ମୁଣ୍ଡର ଝାଳକୁ ତୁଣ୍ଡେ ମାରୁଥାଏ,
ପର ଉପକାରେ ସଦା ମାତି ଥାଇ,
ନ ବୁଝେ କେହି ତା’ କଥା,
ଯା ଶ୍ରମ ବଳରେ ଗଢା ଏ ସଭ୍ୟତା,
ତା’ ମନରେ କେତେ ବ୍ୟଥା,
କହି ନୁହେଁ ତାହା କଥା ।
ସେ ନକଲେ କିଛି ନ ହୁଏ ସଂସାରେ
ସବୁଠାରେ ତା’ର ଲୋ‌ଡା,
ଘାସ କଟା ଠାରୁ ଘୋଡାରେ ଚଢିବା
ପଣିରେ ବୁଡିବା ଆକାଶେ ଉଡ଼ିବା,
ମାଟିକୁ ଖୋଳିବା ପାହାଡ଼ ତାଡ଼ିବା
ସବୁଜିମା ଘନ ବନାନୀ କରିବା
‍ବିଲ,ବାଡି କାମରେ ସଦା ଲାଗିଥାଏ,
ଆମେ ଦେଉ କିଛି ଟଙ୍କା,
କହି ନୁହେଁ ତାହା କଥା ।
ଏତିକିରେ ଆମ କାମ ସରିଗଲା,
ଭାବିଲେ ଲାଗଇ ବ୍ୟଥା,
କହି ନୁହେଁ ତାହା କଥା ।
ସହାନୁଭୂତିର ପଦୁଟିଏ କଥା,
କିଏସେ କହିଛି ଟେକି କହ ମଥା,
ପଶୁ ପରି ଯିଏ ଖଟେ ତୁମ ପାଖେ,
କେବେ କି ବୁଝିଛ ତା ଅନ୍ତର ବ୍ୟଥା
କହି ନୁହେଁ ତାହା କଥା ।
କେତେ ଅଭାବରେ ତା’କୁଟୁମ୍ବ ଚଳେ,
ପିଲା,ଛୁଆ କାନ୍ଦେ ଭୋକର ବିକଳେ,
ନ ମିଳେ ମୁଠାଏ ଭାତ,
ରହିବାକୁ ନାହିଁ ବାସ,
ଜୀବନ ଯୁଦ୍ଧରେ ନିତି ମରୁଥାଏ,
ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଥାଏ
ଜହ୍ନ ଆଲୁଅର ଝପ୍ସାକିରଣରେ,
ଅସୁମାରୀ ତା’ର ଆଶା,
ଉଙ୍କି ମାରି ପୁଣି ଲେଉଟି ଯାଏ,
ନିରାଶା କେବଳ ନିରାଶା,
ଜୀବନଟା ସାରା ହତାଶ,
ଜୀବନଟା ସାରା ହତାଶ ।

ବିଦ୍ୟାଧର ପ୍ରଧାନ
ମାଲୁଦ ,କୃଷ୍ଣପ୍ରସାଦ
ପୁରୀ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?