Sahitya Jibana

Portal on odia literature

ଆସିଛି ରଜ ମଉଜ – ସାଧନା ପଣ୍ଡା 

1 min read

ଆଦ୍ୟ ଆଷାଢରେ ପୂର୍ଣ ଯଉବନା

ଦେବୀ ବସୁମତୀ ସ୍ନାନ

ଗଣ ପର୍ବ ରଜ ଧରାରେ ବିରାଜ

ଧରି ନାନା ସରଞ୍ଜାମ।। 

 

ବସୁମତୀ ମାତା ହୁଏ ରଜସ୍ୱଳା 

କୁଆଁରୀ କନ୍ୟାର ପରି

ଛୁଇଁ ପୁରପଲ୍ଲୀ ଆନନ୍ଦ ଲହରୀ 

ଉଲ୍ଲାସରେ ଯାଏ ପୁରି।।

 

ଉତ୍କଳୀୟ ରୀତି ନୀତି ପରମ୍ପରା 

ରକତେ ଯାଇଛି ଭରି

ଗାଁ’ଠାରୁ ସହର ଉତ୍ସବ ମୁଖର 

ବହେ ଆନନ୍ଦ ଲହରୀ।।  

 

ରଜର ମଉଜ କେତେ ସଜବାଜ 

ପିଠା ପଣା ଖିରି ସୁଅ 

ରଜ ପାନ ଖାଇ ଝୁଲାରେ ଝୁଲଇ 

ଚାରୁବାଳା ଗ୍ରାମ୍ୟ ଝିଅ।।

 

ଘରେ ସୁଖ ଶାନ୍ତି ସ୍ନେହ ଶ୍ରଦ୍ଧା ପ୍ରୀତି 

ବାଣ୍ଟେ ପୁଣି ଭାଇଚାରା

ଆଦ୍ୟ ଆଷାଢରେ ପହିଲି ଛୁଆଁରେ

ଶସ୍ୟଶାଳୀ ହୁଏ ଧରା ।।

 

ମହକି ଉଠଇ ରଜର ମଉଜେ 

ପଣସ, ଆମ୍ବ ,ସପୁରୀ

ଧରଣୀ ରାଣୀ ର ଅପରୂପା ବେଶ

ଦେଖି ମନ ଯାଏ ପୁରି ।।

 

ଟୋକା ଠାରୁ ବୁଢା ତରୁଣୀ ଖେଳନ୍ତି

ଲୁଡୋ, ତାସ୍, ବହୂଚୋରୀ 

ବରଷକେ ଥରେ ଆସେ ଏ’ ପରବ

ସାଜୁ ଥାନ୍ତି ମନଭରି।।

 

ଏସନ ତ’ ରଜ ଫିକା ପଡିଅଛି

କରୋନାର ପ୍ରକୋପରେ

କି’ ଧନୀ ଗରିବ ହ୍ୱନ୍ତି ହନ୍ତସନ୍ତ 

ଖୁସି ନାହିଁ କା’ ମନରେ ।।

 

କୃଷି-କୃଷକର ପରବ ଏ’ ରଜ

ଅପରୂପା ମହୀ ଧରେ

ପ୍ରତି ପ୍ରାଣେ ପ୍ରୀତି ଉତ୍ସାହରେ ଅତି

ଆଶା ଆକାଂକ୍ଷାରେ ଭରେ।।

 

ସାଧନା ପଣ୍ଡା 

ଭୁବନେଶ୍ବର

Leave a Reply