ରଜପର୍ବ – ପପୁ ପରିଡା
1 min read
ଆସୁଛି ବରଷା ନେଇ ଉପହାର
ମୁକ୍ତାବୁନ୍ଦା ଟୋପା ଟୋପା
ମୌସୁମୀ ରୂପରେ ବିଞ୍ଚିବ ଧରାରେ
ବୁନ୍ଦା ବୁନ୍ଦା ସୁନା ରୁପା।
ମାତା ବସୁମତୀ ହେବେ ରଜବତୀ
ରଚିବେ ମାନବ ଲୀଳା
ଏଥି ପାଇଁ ସର୍ବେ ପାଳନ୍ତି ରଜକୁ
ଖୁସି ଆନନ୍ଦର ମେଳା।
ପ୍ରଥମ ଦିନରେ ଜମେ ସଜବାଜ
ପାଦରେ ନାଲି ଅଳତା
ଦ୍ୱିତୀୟ ଦିନରେ ପହିଲି ରଜରେ
ଶୁଭଇ ରଜ କବିତା।
ତୃତୀୟ ଦିନରେ ମିଥୁନ ସଂକ୍ରାନ୍ତି
ତା ପରେ ଭୂମି ଦହନ
ପାଞ୍ଚ ଦିନର ଏ ଗଣ ପର୍ବ ଆମ
ଶେଷ ବସୁମତୀ ସ୍ନାନ।
ରଜ ଦୋଳି ଖେଳ ରଜ ଖିଲି ପାନ
ଲାଗୁଥାଏ ଭାରି ମିଠା
ଘର ଘର ବାସେ ଅପୂର୍ବ ସୁଗନ୍ଧେ
ନାନା ରକମର ପିଠା।
ଯୁବକ ମାତନ୍ତି କବାଡି ଖେଳରେ
ତାସ ଖେଳର ଆସର
ପ୍ରସ୍ତୁତ ହୁଅଇ କୃଷକ ଭାଈ ମୋ
କର୍ତ୍ତବ୍ୟ ଲାଗି ତାହାର।
ଓଡ଼ିଆ ସଂସ୍କୃତି ତାର ପରିଚୟ
ତାର ପର୍ବ ଓ ପର୍ବାଣୀ
ଆନନ୍ଦ ଉଲ୍ଲାସ ସ୍ନେହ ଓ ବିଶ୍ଵାସ
ଅନୁଭୂତି ଦିଏ ଆଣି।
ପପୁ ପରିଡା
ରାଳବ,ଗଞ୍ଜାମ