ନୀଳ କଇଁ – ଡ. ପ୍ରିୟମ୍ବଦା ସାମଲ
1 min read
ଝିପି ଝିପି ହୋଇ ବର୍ଷୁଛି
ଚୁପି ଚୁପି କଥା କହୁଛି
ମୋ ପ୍ରିୟର ବାର୍ତ୍ତା ଆଣିଛି
ମନକୁ ମୋ ଝୁମି ଯାଉଛି।
ବର୍ଷା ରାଣୀ ଭାରି ସିଆଣୀ
ମନ କଥା ଦେଉ ବଖାଣି
ଫୁଲେଇ ତୁ ଛାଟୁଛୁ ବେଣୀ
ମୟୁରୀଟି ହେଲା ବାୟାଣୀ।
ଆସିଛୁ ମେଘୁଆ ସଂଜରେ
ବିଷାଦ ମନର ମନ୍ଦିରେ
ହୋଇ ତୁ ଗେହ୍ଲେଇ ଫୁଲେଇ
ଦେଖେଇ ହଉଛୁ ଛଇରେ।
ଜଗା ମୋର ଅଣସରରେ
ବସିଛି ମୁଁ ମନ ମାରିରେ
କାହା ଇଶରାରେ ଆସିଛୁ
ଟିପି ଟିପି ପାଦ ଚାପିରେ।
ପ୍ରକୃତି ରାଣୀକୁ ସଜାଉ
ମନକୁ ମୋହରେ ଭୁଲାଉ
ପ୍ରୀତିର କଦମ୍ବ ଫୁଟାଉ
ଜମୁନା କୁ ତୁହି ହସାଉ।
ସ୍ବାଗତର ଗୀତିକା ଗାଇ
ମନଟା କରୁ ହାଇଁପାଇଁ
କଳାକାହ୍ନୁ ତ ଚାନ୍ଦ ହେଲେ
ରାଧା ରାଣୀ ତା ନୀଳ କଇଁ।
ଡ. ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି, ଗଜପତି