Sahitya Jibana

Portal on odia literature

ବାପା – କବିସୌରଭ କୈଳାଶଚନ୍ଦ୍ର ବେହେରା

1 min read

 

ବାପାଙ୍କ ପରି କେ ହେବେ ,
ନିଜେ ଦୁଃଖ ସହି
ପିଲାଙ୍କ ମୁଖରେ
ସଦା ହସ ଫୁଟାଇବେ ,
ବାପାଙ୍କ ପରି କେ ହେବେ ?
କାନ୍ଦୁଥିଲେ ବସି ,
ବୁଝାଇ କହନ୍ତି
ପିଠି ଥାପୁଡ଼ାଇ
କାନ୍ଧରେ ବସାନ୍ତି ,
ନାନା କଥା କହି
ଅଭିନୟ କରି ,
ମନ ଖୁସି କରିଦେବେ ,
ବାପାଙ୍କ ପରି କେ ହେବେ ?
ଚାଲୁଥିଲା ବେଳେ
ଆଗରେ ରଖନ୍ତି ,
ପଛେ ରହି ସେତ
ସାହସ ଦିଅନ୍ତି ,
ବାଟେ ଚାଲୁ ଚାଲୁ
ଝୁଣ୍ଟି ପଡ଼ିଗଲେ ,
ସହସା ଉଠାଇ ଦେବେ ,
ବାପାଙ୍କ ପରି କେ ହେବେ ?
ରାଗ ରୁଷା କଲେ
କହନ୍ତି ସ୍ନେହରେ ,
ଝାଡ଼ନ୍ତି ମଇଳା
ଲାଗିଲେ ଦେହରେ ,
ଅଭିମାନ କଲେ
ନିଜ ପସନ୍ଦର ,
ଚିଜ କିଣି ଆଣି ଦେବେ ,
ବାପାଙ୍କ ପରି କେ ହେବେ ?
ଗୋଟିଏ ହାତରେ
ଧରନ୍ତି ହାତକୁ ,
ଆର ହାତେ ଧରି
ବହି ବସ୍ତାନୀକୁ ,
ମଜାମଜା କଥା
କହି କୌଶଳରେ ,
ବିଦ୍ୟାଳୟେ ଛାଡ଼ି ଯିବେ ,
ବାପାଙ୍କ ପରି କେ ହେବେ ?
ନିଜେ ପଛେ ଛିଣ୍ଡା
ପୋଷାକ ପିନ୍ଧନ୍ତି ,
ପିଲାଙ୍କୁ ଅଭାବ
କେବେ ନ କରନ୍ତି ,
ପେଟ ପୁରା ଖାଦ୍ୟ
ନ ଖାଇ ପିଲାଙ୍କୁ
ସବୁ ଖାଇବାକୁ ଦେବେ ,
ବାପାଙ୍କ ପରି କେ ହେବେ ?
ବାପଙ୍କ ଚରଣେ
କୋଟି ନମସ୍କାର ,
ଶୁଝି ନ ପାରିବା
ଋଣ ତାହାଙ୍କର ,
ବାପାଙ୍କର ସେବା
କଲେ ପୁଣ୍ୟଫଳ ,
ନିଶ୍ଚେ ଭଗବାନ ଦେବେ
ବାପାଙ୍କ ପରି କେ ହେବେ?
—————————————

କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ

Copyright © Sahitya Jibana | Newsphere by AF themes.