Sahitya Jibana

Portal on odia literature

ଓଡ଼ିଆ ପରଂପରାରେ ସାବିତ୍ରୀ ବ୍ରତ – ରାଜେନ୍ଦ୍ର କୁମାର ବିଷୋୟୀ

1 min read

ଯେଉଁ ପରମ୍ପରାର ଶ୍ରୀବୃଦ୍ଧି କରେ ବାର ମାସେ ତେର ପର୍ବ, ଯେଉଁ ପରମ୍ପରାକୁ ଅନୁସରଣ କରନ୍ତି ପାଶ୍ଚାତ୍ୟର ଗବେଷକଗଣ ,ଯେଉଁ ପରମ୍ପରା ପାଇଁ ଆମ ରାଜ୍ୟ ସାରା ବିଶ୍ବରେ ସୁପରିଚିତ ,ସେ ହେଉଛି ସର୍ବୋତ୍କୃଷ୍ଟ ଓଡିଆ ପରମ୍ପରା ।ଯେଉଁ କତୋଟି ହାତଗଣତି ପର୍ବପର୍ବାଣୀଙ୍କୁ ନେଇ ଓଡିଆ ପରମ୍ପରା ପ୍ରସିଦ୍ଧି, ସେମାନଙ୍କ ମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ ,ଯାହାକି ପାଳିତ ହୁଏ ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ।
କଥା ଅଛି ,ଉତ୍କଳୀୟ ନାରୀମାନେ ନିଜ ଶଙ୍ଖା ସିନ୍ଦୂରକୁ ବଜାୟ ରଖିବା ପାଇଁ ସ୍ବାମୀଙ୍କର ମଙ୍ଗଳ ମନାସନ୍ତି ,ମହୀସତୀ ସାବିତ୍ରୀଙ୍କୁ ସୁମରଣା କରି ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ,ମଦ୍ର ଦେଶର ରାଜା ଅଶ୍ବପତି ,ରାଣୀ କୌଶଲ୍ୟାଙ୍କୁ ଖୁସି ବା ପ୍ରୀତ କରିବା ପାଇଁ ,ସନ୍ତାନ ଆଶାରେ ଆୟୋଜନ କରିଥିଲେ ସାବିତ୍ରୀ ଯଜ୍ଞ ।ଯାହାରି ଫଳସ୍ବରୂପ ଜନ୍ମ ନେଇଥିଲେ ସୁନ୍ଦରୀ ଲାବଣ୍ୟବତୀ କନ୍ୟାରତ୍ନଟିଏ ।ସ୍ନେହଭରେ ନାମ ଦେଇଥିଲେ ସାବିତ୍ରୀ ବୋଲିଣ ।ରାଜା ଅଶ୍ବପତି, ଋଷି ମାଣ୍ଡବ୍ଯଙ୍କୁ କନ୍ୟାର ଭଲ ମନ୍ଦ ପୁଛନ୍ତେ ,ମାଣ୍ଡବ୍ଯ କହିଲେ ,ହେ ରାଜା ! ମନେରଖିଥିବ ,କୈଶୋରାନ୍ତେ ଯୁବତୀ ହୋଇଲେ ସ୍ବାଧିନତା ଦେବ ନିଜ ପତି ନିଜେ ଖୋଜିବାକୁ ।ଧିରେ ଧିରେ ଶଶାଙ୍କ ବଢିଲା ପରି ,ସାବିତ୍ରୀ ଉପନିତ ହେଲେ ଯୌବନ ଅବସ୍ଥାରେ ।ସଖିମେଳେ ବୁଲିବାକୁ ଗଲେ ତପୋବନେ ।ପ୍ରଥମେ ସାକ୍ଷାତ ହେଲା ବୀର ସତ୍ୟବାନ ସହ ତପୋବନ ମଧ୍ୟେ ।ରୂପଗୁଣେ ମୁଗ୍ଧ ହୋଇ ପତିପଣେ ବରିଲେ ତାହାଙ୍କୁ ।ସହାସ୍ୟବଦନେ ନଅରକୁ ଫେରି ,ଦେଖିଲେ ନାରଦ ଋଷି ,ଉଭା ହୋଇଛନ୍ତି ସମସ୍ତ ଘଟଣା ଗୋଟି ଗୋଟି କରି ବଖାଣି ଚାଲିଲେ ବିନା ସଙ୍କୋଚରେ ।ସାବିତ୍ରୀଙ୍କ ମୁଖୁ ସବୁ ଶୁଣି, ନାରଦ କହିଲେ କିମ୍ପାଇଁ ତୋ କପାଳକୁ ,ଫଟା କପାଳ କଲୁ ଜାଣିଜାଣି ।କି ହେଲା କି ହେଲା ବୋଲି ଆକୁଳରେ ପଚାରିଲେ ରାଜାରାଣୀ ଦୁହେଁ ।ବୁଝାଇ କହିଲେ ନାରଦ , କନ୍ୟା ତବ ଅନ୍ଧ ରାଜାଙ୍କ ପୁତ୍ର ସତ୍ୟବାନଙ୍କୁ ପତି ରୂପେ ବରିଅଛି ସିନା ,ସତ୍ୟବାନର ଆୟୁଷ ଆଉ ମାତ୍ର ଏକବର୍ଷ ।ବୁଝାଇଲେ ମହର୍ଷି ସାବିତ୍ରୀ ଦେବୀଙ୍କୁ, ନିଜ ନିଷ୍ପତ୍ତି ବଦଳାଇବାକୁ ।କିନ୍ତୁ, ଦୃଢ ଚିତ୍ତରେ କନ୍ୟା ସାବିତ୍ରୀ ସମସ୍ତଙ୍କ ଆଗରେ ଏହା ପ୍ରକାଶ କଲେ ଯେ , ଯାହା ମୋ କପାଳରେ ଲେଖାଥିବ ତାହା ହିଁ ଭୋଗିବି ।ଭୋଗିଲେ ଭୋଗିବି ପଛେ ବର୍ଷେ ପରେ ବୈଧବ୍ଯ ଯନ୍ତ୍ରଣା ତଥାପି ମୁଁ ନ ବଦଳାଇବି ନିଷ୍ପତ୍ତି ମୋହର ।ଅନ୍ୟ ପୁରୁଷରେ ମୁହିଁ ବଳାଇଲେ ମତି , ଚରିତ୍ରରେ ମୋର ନିଶ୍ଚେ ଲାଗିବ କଳଙ୍କ ।ସତ୍ୟବାନ ବିନା ମୋର ପ୍ରୟୋଜନ ନାହିଁ କିଛି ଅନ୍ୟ ପୁରୁଷରେ ।ସାବିତ୍ରୀ ମୁଖରୁ ଶୁଣି ଏମନ୍ତ ବଚନ ମହାସତୀ ହୁଅ ବୋଲି ଆଶୀର୍ବାଦ ଦେଇ ,ରାଜଦ୍ବାରୁ ବିଦାୟ ନେଲେ ମହର୍ଷି ନାରଦ ।
ଧୁମଧାମରେ ଆୟୋଜିତ ହେଲା ବିବାହ ଉତ୍ସବ ,ବିବାହ ପରେ ସାବିତ୍ରୀ ,ସ୍ବାମୀ, ଶାଶୁ ,ଶ୍ବଶୁରଙ୍କ ଯଥା ଯୋଗ୍ୟ ସେବାକରି ,ହୋଇଲେ ପ୍ରିୟଭାଜନ ସଭିଙ୍କର ,ଖୁବ୍ କମ୍ ଦିନେ ।ଧିରେ ଧିରେ ପହଞ୍ଚିଲା ବିବାହ ବାର୍ଷିକି ,ପଡିଥିଲା ଜ୍ୟେଷ୍ଠମାସ ଅମାବାସ୍ୟା ତିଥି ।କୁଠାର ହସ୍ତରେ ସତ୍ୟବାନ , ବାହାରିଲେ ଅରଣ୍ୟାଭିମୁଖେ , ସଙ୍ଗତେ ଗଲେ ସାବିତ୍ରୀ ,ମହର୍ଷିଙ୍କ କଥା ଭାଳି ଭାଳି ।ଜଙ୍ଗଲରେ କାଠ ହାଣୁ ହାଣୁ ,ଅଚେତ୍ ହୋଇପଡିଲେ ସାବିତ୍ରୀ କୋଳରେ ,ଉଡିଗଲା ପ୍ରାଣବାୟୁ ,ଉଭାହେଲେ ଯମଦୂତମାନେ ,କିନ୍ତୁ ,ସତୀ କୋଳେ ଦେଖି ସତ୍ୟବାନ, ନିରାଶରେ ଫେରିଗଲେ ଯମର ନିକଟେ ।ତେଣୁ , ଜନ୍ତୁରାଣ ନିଜେ ଆସି ଉଠାଇଲେ ସତ୍ୟବାନ ଶବ ।କିଛି ଦୂର ଗଲାପରେ ବାହୁଡି ଦେଖିଲେ , କାନ୍ଦି କାନ୍ଦି ପଛରେ ଆସୁଛନ୍ତି ବିଧବା ସାବିତ୍ରୀ ।କହିଲେ ଗୋ ଦେବୀ ,କିମ୍ପାଇଁ ଆସୁଛ ,ମୃତବ୍ୟକ୍ତି କେବେ ଜୀବିତ ହେବାର ଦେଖିଛକି ନେତ୍ରେ ।ତେଣୁ ,ଫେରିଯାଅ ନିଜ ପୁର ମଧ୍ୟେ ।କାନ୍ଦି କାନ୍ଦି ସାବିତ୍ରୀ କହିଲେ, ନେଲ ଯଦି ପତିଙ୍କର ପ୍ରାଣ , ମୋତେ ମଧ୍ୟ ନେଇଯାଅ ସାଥେ ।ପତି ବିନା ଏ ସଂସାରେ କି ଲାଭ ବଞ୍ଚିବା।ସନ୍ତୁଷ୍ଟ ହୋଇଲେ ଯମଦେବ ,ସାବିତ୍ରୀଙ୍କ ପତିଭକ୍ତି ଦେଖି ।କହିଲେ ଗୋ ସତୀ ,ମାଗି ଘେନ ଇଚ୍ଛା ମତେ ବର ।ପ୍ରଥମ ବରରେ ସାବିତ୍ରୀ ମାଗିଲେ ,
ଅବିଳମ୍ବେ ମୋ ଶ୍ବଶୁରଙ୍କ ହୋଇଯାଉ ଚକ୍ଷୁ କଷ୍ଟ ଦୂର।ଦ୍ବିତୀୟ ବରରେ ମାଗିଲେ ପିତାଙ୍କର ରାଜ୍ୟ ଜୟ ହେଉ ଏବଂ ତୃତୀୟ ବରରେ ମାଗିଲେ ଶହେ ସନ୍ତାନର ଜନନୀ ହେବି ମୁଁ ।ତଥାସ୍ତୁ କହି ଯମଦେବ ଚାଲି ଯିବାବେଳେ କାନ୍ଦି କାନ୍ଦି କହିଲା ସାବିତ୍ରୀ ,ହେ ଦେବ !ପ୍ରୀତ ହୋଇ ଦେଲ ଯଦି ମୋତେ ଏଇ ବର, ସ୍ବାମୀ ବିନା କେମିତି ହୋଇବି ମୁଁ ଶହେ ସନ୍ତାନର ମା’ ।ଅବାକ୍ ହୋଇଲେ ଯମଦେବ କହିଲେ ଗୋ ସତୀ ,ତୋର ପତି ଭକ୍ତି ଆଗେ ହାରିଗଲେ ଆଜି ଜନ୍ତୁପତି ।ମହାସତୀ ନାମେ ତୁମ ରହିବ ସୁଖ୍ୟାତି ।ନିଜ ପୁରେ ଚଳ ଏବେ ନେଇ ତୁମ ପତି ।କୃତ୍ୟ କୃତ୍ୟ ହେଲି ବୋଲି ପ୍ରଣାମ କରିଣ ,ସତ୍ୟବାନଙ୍କ ସହ ଫେରିଲେ ରାଜ ନଅରକୁ ।ସଂଗ୍ରହ କରିଲେ ତାଳ,ନଡିଆ,ଆମ୍ବ ଓ ପଣସ,ନୂଆଁ ଚୁଡି,ନୂଆଁ ଶଙ୍ଖା ସିନ୍ଦୂରକୁ ନେଇ ,ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ଲକ୍ଷ୍ମୀ ନାରାୟଣ ପୂଜି ଅତ୍ୟନ୍ତ ଭକ୍ତିରେ ।ସେହିଦିନୁ ଓଡିଆ ପରମ୍ପରାର ଏକ ନିଆରା ପର୍ବ ।ଭାବେ ସାବିତ୍ରୀ ବ୍ରତ ଲୋକପ୍ରିୟତା ପାଇଛି ।
ବାସ୍ତବରେ ହିନ୍ଦୁ ଧର୍ମରେ ନାରୀମାନଙ୍କର ଶଙ୍ଖା ସିନ୍ଦୂର ହେଉଛି ପତି ଦେବତା ।ପତି ବିନା ଗତି ନାହିଁ ବୋଲି ଲୋକକଥା ଅଛି ।ତେଣୁ ଏହି ସାବିତ୍ରୀ ବ୍ରତ ସର୍ବୋପରେ ହିନ୍ଦୁ ସଧବା ନାରୀଙ୍କ ମନରେ ଭରିଦିଏ ପ୍ରତିବର୍ଷ ଅକୁହା ଆନନ୍ଦ ।ମୋଟ ଉପରେ କହିବାକୁ ଗଲେ ଓଡିଆ ପରମ୍ପରାରେ ସାବିତ୍ରୀ ବ୍ରତ ଏକ ଶ୍ରେଷ୍ଠ ପର୍ବ ଭାବରେ ପରିଗଣିତ ଏହା ନିଃସନ୍ଦେହ ।
••••••••••••••••••••••••••••••••••••••••
ରାଜେନ୍ଦ୍ର କୁମାର ବିଷୋୟୀ
ପଳାସପଲ୍ଲୀ ,ଗଞ୍ଜାମ

Leave a Reply