Sahitya Jibana

Portal on odia literature

ସାବିତ୍ରୀ ଓଷା – ପ୍ରତାପ ଚନ୍ଦ୍ର ପ୍ରଧାନ

1 min read

ସାବିତ୍ରୀ ସଉଦା କିଣିବା ପାଇଁକା
ବଜାରକୁ ଗଲି ଧାଇଁ ।
ତାଲାବନ୍ଦ ଯୋଗୁଁ ଦରବୃଦ୍ଧି ଦେଖି
ମୁଣ୍ଡ କାମ କଲା ନାହିଁ ।।
ଟଙ୍କାକ ଜିନିଷ ପାଞ୍ଚ ଟଙ୍କା ଏଠି
ଛୁଇଁବାକୁ ଲାଗେ ଡର ।
କଅଣ କହି କି ବୁଝେଇବି ଯାଇ
ଘରେ ସଜନୀକୁ ମୋର ।।
ଯେତିକି ପଇସା ପାଖରେ ଥିଲା ମୋ
ନୁଆ ଶାଢୀ କିଣିଦେଲି ।
ମନ ଦୁଃଖ କରି ଗୋଟିଏ ଗୋଟିଏ
ଘରକୁ ଫେରି ଆସିଲି ।।
ଘରଣୀକୁ ମୋର ବୁଝାଇ କହିଲି
ବଜାର ଦରରେ ନିଆଁ ।
ସାବିତ୍ରୀ ସଉଦା ଯାହା କହିଥିଲ
ଆଣିବି କୋଉଠୁ କିଆଁ ।।
ଇଛା ଥାଇ କିଛି କିଣି ପାରିଲିନି
ଦୁଃଖ କରିବନି ମନ ।
ଆଜି ନ ଆଣିଛି କାଲି କୁ ଆଣିବି
ମନେ ରଖିଥିବ ଧନ ।।
ମୁଣ୍ଡ ମୋ ଆଉଁସି କହିଲା ସେ ହସି
ତୁମେ ମୋ ପରମେଶ୍ଵର ।
ଦରକାର ନାହିଁ କିଛି ତ ମୋ ପାଇଁ
ଖାଲି ଆଶୀର୍ବାଦ କର ।।
ତୁମରି ଚରଣେ ଆଶ୍ରୟ ଲୋଡା ମୋ
ସାଥେ ଥିବି ସୁଖେ ଦୁଃଖେ ।
କେବେ ବି ମୋ ପାଇଁ ଭାଙ୍ଗି ଯିବ ନାହିଁ
ଥିବ ମୋର ପାଖେ ପାଖେ ।।
ସାବିତ୍ରୀରେ ନୁହେଁ ସବୁଦିନେ ତୁମ
ଶୁଭ ମନାସେ ମନ୍ଦିରେ ।
ଏଇ ଜନ୍ମ ନୁହେଁ ସବୁ ଜନ୍ମ ପାଇଁ
ତୁମେ ଥାଅ ମୋ ପାଖରେ ।।
ତୁମେ ମୋର ଧନ ତୁମେ ତ ଜୀବନ
ତୁମେ ଦେବତା ମୋ ପାଇଁ ।
ସବୁବେଳେ ପୂଜେ ତୁମରି ଚରଣ
ଚାଲୁଥିବା ସାଥି ହୋଇ ।।
ତୁମ ସାଥେ ଲୁଣ ଶାଗ ଭାତ ଖାଇ
ବିତି ଯାଉ ଏ ଜୀବନ ।
ତୁମେ ପରା ମୋର ସବୁ ହସ ଖୁସି
ତୁମେ ମୋର ପ୍ରାଣଧନ ।।
ପତ୍ନୀ ଠାରୁ ଶୁଣି ଏମିତିକା କଥା
ବହୁତ ଖୁସି ଲାଗିଲା ।
ଏମିତିକା ପତ୍ନୀ ଭାଗ୍ୟରେ ମିଳଇ
ବିଧାତା ହିଁ ଗଢିଥିଲା ।।
ଆଜି ଏ ଦିନରେ ଠାକୁର ପାଖରେ
ଘରଣୀ ଶୁଭ ମନାସି ।
ପାଳିଲୁ ଏକାଠି ସାବିତ୍ରୀ ଓଷା ଟି
ମିଳିମିଶି ହସି ହସି ।।

***
ପ୍ରତାପ ଚନ୍ଦ୍ର ପ୍ରଧାନ,
ଆଳିପଡା, କଣାସ ,ପୁରୀ

Leave a Reply