Sahitya Jibana

Portal on odia literature

ସତୀ ସାବିତ୍ରୀ – ଶିବ ପ୍ରସାଦ ହାତୀ

1 min read

ପତିବ୍ରତା ଧର୍ମ ବଳରେ
ମହାସତୀ ସାବିତ୍ରୀ
ସ୍ୱାମୀ ପ୍ରାଣ ରକ୍ଷା କରିଣ
ରଚିଗଲେ କୀରତି।
ଧର୍ମ ପରାୟଣ ରାଜନ
ଅଶ୍ୱପତି ଯେ ଜାଣ
ନିଃସନ୍ତାନ ଥିବା କାରଣୁ
ଥିଲେ ବିରସ ମନ।
ରାଜା ମନୋଦଶା ଜାଣିଣ
ମନ୍ତ୍ର ଦେଲେ ଯେ ଋଷି
ମନ୍ତ୍ର ବଳେ କନ୍ଯା ଲଭିଣ
ରାଜା ହୋଇଲେ ଖୁସି।
ସଖୀଗଣ ସାଥେ ସାବିତ୍ରୀ
କଲେ ବନବିହାର
ମୋହିତ ହୋଇଲେ ଦେଖିଣ
ବନେ ଯୁବା ସୁନ୍ଦର।
ଅବନ୍ତୀନଗର ରାଇଜେ
ରାଜା ଦ୍ଯୁମତସେନ
ତାହାଙ୍କର ଜ୍ଯେଷ୍ଠ ନନ୍ଦନ
ନାମ ଯେ ସତ୍ଯବାନ।
ଲଭିବାକୁ ପତି ରୂପରେ
ସତ୍ଯବାନେ ସାବିତ୍ରୀ
ମନକଥା ଯାଇ କହିଲେ
ନିଜ ମାତାଙ୍କ କତି।
ରାଣୀଙ୍କ ନିକଟୁ ବାରତା
ଜାଣିପାରି ରାଜନ
ନାରଦ ମୁନିଙ୍କୁ ପୁଚ୍ଛିଲେ
କିଏ ସେ ସତ୍ଯବାନ?
ସବିଶେଷ କଲେ ବର୍ଣ୍ଣନା
ସତ୍ଯବାନ ସମ୍ବନ୍ଧ
ପିତା ତା’ର ଦ୍ଯୁମତସେନ
ରାଜା ଅଟନ୍ତି ଅନ୍ଧ।
ଏକମାତ୍ର ବର୍ଷ ଆୟୁଷ
ଅଛି ସତ୍ଯବାନର
ସେଠି ନ ଦିଅହେ ବିବାହ
ଦିଅ ଅନ୍ଯସ୍ଥାନର।
ସତ୍ଯବାନ ଅଳ୍ପ ଆୟୁଷ
ଜାଣି ସୁଦ୍ଧା ସାବିତ୍ରୀ
ତାଙ୍କୁ ହିଁ ମୋର ଏ ଜୀବନେ
ମୁହିଁ ବରିବି ପତି।
ଦେଖି ଶୁଭଲଗ୍ନ ରାଜନ
କଲେ କନ୍ଯା ବିବାହ
ପତ୍ନୀଙ୍କୁ ଘେନି ସତ୍ଯବାନ
ଗଲେ ପିତାଙ୍କ ଗୃହ।
ଶାଶୁ ଶ୍ୱଶୁରଙ୍କୁ ସେବଇ
ଦିନରାତି ସାବିତ୍ରୀ
ଦେବତା ବ୍ରାହ୍ମଣ ଦେଖିଲେ
କରେ ଅଚଳ ଭକ୍ତି।
ଜ୍ଯେଷ୍ଠ ଅମାବାସ୍ଯା ନିକଟ
ଜାଣି ସାବିତ୍ରୀ ସତୀ
ପତି ଆୟୁ ଶେଷ ସମୟ
ଭାବି ଚିନ୍ତିତ ଅତି।
ସତ୍ଯବାନ ଗଲେ ଅରଣ୍ଯ
କାଷ୍ଠ ସଂଗ୍ରହ ଅର୍ଥେ
ପତିପ୍ରାଣା ସତୀ ସାବିତ୍ରୀ
ଥିଲେ ତାଙ୍କରି ସାଥେ।
ବିଧିର ବିଧାନ ବିଚିତ୍ର
କିଏ ପାରିବ ଟାଳି
ପତ୍ନୀକୋଳେ ରଖି ମସ୍ତକ
ଗଲେ ସେଇଠି ଟଳି।
ସତୀ ତେଜେ ଯମଦୂତ ଯେ
ପାଖ ପଶିଲେ ନାହିଁ
ଯମଙ୍କ ନିକଟେ କହିଲେ
ସମସ୍ତ ଫେରିଯାଇ।
ସାବିତ୍ରୀ ନିକଟେ ପହଞ୍ଚି
ମୃତ୍ଯୁ ଦେବତା ଯମ
ଜନମ ହୋଇଲେ ମରଣ
ଏତ ବିଧି ନିୟମ।
ପ୍ରବୋଧନା ଦେଇ ସତୀଙ୍କି
ସନ୍ତୋଷେ ଜନ୍ତୁରାଣ
ଆପଣା ପୁରକୁ ଗମିଲେ
ନେଇ ସତ୍ଯର ପ୍ରାଣ।
କାନ୍ଦି କାନ୍ଦି ସତୀ ଶମନ
ପଛେ କଲେ ଗମନ
ପତି ବିନା ଗତି ନାହିଁ ମୋ
ସାଥେ ନିଅ ବହନ।
ସାବିତ୍ରୀଙ୍କ ପତିବ୍ରତାରେ
ଯମ ହେଲେ ସନ୍ତୋଷ
ବର ମାଗ ଯାହା ଚାହୁଁଛ
ଛାଡ଼ି ସତ୍ଯ ଆୟୁଷ।
ଚକ୍ଷୁଷ୍ମାନ କର ଶ୍ୱଶୁରେ
ରାଜ୍ଯ କର ପ୍ରଦାନ
ସନ୍ତୁଷ୍ଟ ଚିତ୍ତରେ ଶମନ
ବର ଦେଲେ ବହନ ।
ପୁତ୍ରହୀନ ପିତା ସକାଶେ
ସତୀ ମାଗିଲେ ବର
ପିତାଙ୍କୁ ମୋହର ନନ୍ଦନ
ଦେବ ଦିଅ ସତ୍ୱର।
ପଛେ ପଛେ ସତୀ ଆସିବା
ଦେଖି ସେ ଜନ୍ତୁପତି
ସତ୍ଯବାନ ପ୍ରାଣ ବ୍ଯତୀତ
ବର ମାଗ ହେ ସତୀ।
ତୃତୀୟ ବରରେ ସାବିତ୍ରୀ
ନିଜ ପତି ଔରସୁ
ଶତପୁତ୍ର ଜନ୍ମ ହୁଅନ୍ତୁ
ଦେବ ତବ ଆଶିଷୁ।
ସାବିତ୍ରୀ ଭକ୍ତିରେ ବିହ୍ୱଳ
ହୋଇ ଯମ ଦେବତା
ବର ଦେଇ କହିଲେ ହୁଅ
ଶତ ପୁତ୍ରର ମାତା।
ପତି ବିନା ପୁତ୍ର କିପରି
ହେବ କହ ହେ ଦେବ
ପତି ପ୍ରାଣ ଦିଅ ନହେଲେ
ବର ଅନ୍ଯଥା ହେବ।
ସାବିତ୍ରୀଙ୍କ ସତୀପଣରେ
ମୁଗ୍’ଧ ସେ ଜନ୍ତୁରାଣ
ସହର୍ଷେ ଫେରାଇଦେଲେଟି
ସତ୍ଯବାନର ପ୍ରାଣ।
ଜ୍ଯେଷ୍ଠ ଅମାବାସ୍ଯା ତିଥିରେ
ଯିଏ କରେ ଏ ବ୍ରତ
ଅଚିରେ ସଧବା ନାରୀର
ପୂରଇ ମନୋରଥ।
ଲକ୍ଷ୍ମୀନାରାୟଣେ ପୂଜନ୍ତି
ନାରୀ ଭକତି ଭରେ
ନାନାଜାତି ଫଳ ସମର୍ପି
ଶୁଦ୍ଧପୂତ ଚିତ୍ତରେ।
ସ୍ୱାମୀ ପଦେ ମନ ଲଗାଇ
କଲେ ସାବିତ୍ରୀ ବ୍ରତ
ଅହ୍ଯ ସୁଲକ୍ଷଣୀ ହୁଅନ୍ତି
ଯେତେ ନାରୀ ଜଗତ।
ଗୀତରେ ଗୀତରେ ଭଣିଲି
ମୁହିଁ ଅଧମ ଶିବ
ଦୋଷତ୍ରୁଟି ଥିଲେ ବିନୟେ
ମୋତେ କ୍ଷମା କରିବ।
^*^*^*^*^*^*^*^*^*^*^*^*^*^*^*^*

ଶିବ ପ୍ରସାଦ ହାତୀ
ବିଜାଢୋଲ,ବରଗଡ଼

Leave a Reply