Sahitya Jibana

Portal on odia literature

ରଥପଥ – ବିଜୟଲକ୍ଷ୍ମୀ ପାଣିଗ୍ରାହି

1 min read

ଆଦୃଶ୍ୟଙ୍କ ଡୋରର ଆକର୍ଷଣରୁ

କିଏ ନିସ୍ତାର ପାଇଛି ଯେ ?

ଖାଲି ଯାହା ବଡ଼ିମା ଦେଖାଇବାର

ଏକ ନାଟକୀୟତା।

ଭକ୍ତ ହାତରେ ଭଗବାନଙ୍କ ଦଉଡ଼ି ?

ପୁଣି ଆମେ ଟାଣୁ

ନା ଟାଣି ହେଉ ?

 

ତାଙ୍କ ପାଇଁ ତ

ରଥ ଗଢିବାର

ଅଭିନବ କେତେ ଯୋଜନା

ରଥ ଯେ ତାଙ୍କର

ପଥ ଯେ ତାଙ୍କର

ଭାବ ହେଉ ଅବା ଭକ୍ତି

ସ୍ତୋତ୍ର ହେଉ ଅବା ସୂକ୍ତି

ସେ ହିଁ ତ ଅଭିବ୍ୟକ୍ତି

ସେ ହିଁ ମୁକ୍ତି ।

 

କିଏ କହେ ବିନା ଭକ୍ତରେ

ଏ ଯାତ୍ରା ବିଫଳ।

ଏଠି ତ ଭକ୍ତିର ନାହିଁ ଥଳକୂଳ।

ହୃଦୟେ ଭର୍ତ୍ତି ଆଶ୍ୱାସର ପଦ୍ମ

ଭାବ ସାଗରରେ ଲୀନ ହୋଇ ଯାଉ ଯାଉ

ମହକୁଛି ଜୀବନ ଦର୍ଶନ।

ପ୍ରଲମ୍ୱିତ ଆବେଗର ଏକ ଦୀର୍ଘଶ୍ୱାସ

ଲିଭେଇ ଚାଲିଛି

ବ୍ୟବଧାନ ର ସୀମାରେଖା।

ହୃଦୟ ରଥରେ

ମନ ଅଶ୍ୱକୁ ଲଗାମ ଦେଉ ଦେଉ

ନିରୂପିତ ହେଉଛି ଏକ ନିର୍ଦ୍ଧିଷ୍ଟ ପଥ

ଯେଉଁଠି ମୁଁ ଅଦୃଶ୍ୟ

ସେ ଦୃଶ୍ୟମାନ।

 

ବିଜୟଲକ୍ଷ୍ମୀ ପାଣିଗ୍ରାହି, ଶିକ୍ଷୟିତ୍ରୀ 

ଜୟପୁର, କୋରାପୁଟ

ମୋ-୮୨୪୯୪୫୦୦୫୦

Copyright © Sahitya Jibana | Newsphere by AF themes.