Sahitya Jibana

Portal on odia literature

ଆଈଙ୍କ ବନ୍ୟା ପରେ – ସୁକାନ୍ତ ଖଣ୍ଡା

1 min read

ରାତିରେ ଆସି ପହଞ୍ଚିଲା। ଘରେ ସଭିଏଁ ଶୋଇଥିଲେ ତ ଜାଣି ପାରିଲେ ନାହିଁ। ଅଚାନକ ବନ୍ଯାର କରାଳ ରୂପ ଆଈଙ୍କ ଘରକୁ ଆକ୍ରମଣ କଲା ତ ସଭିଏଁ ଆର ପାରିଲେ। ଏକମାତ୍ର ନାତୁଣୀର ଗୋଡ଼ରେ କାନ୍ଥ ପଡି଼ ଯିବାରୁ ସେ ଡାକ୍ତରଖାନାରେ ଚିକିତ୍ସା ହୋଇ ଫେରିଛି। ଆଈଙ୍କର ଦୁଃଖ କାହିଁରେ କେତେ ସବୁକୁ ହଜେଇ ଏଇ ବଖଟେ ହେବ ଆଠ ବର୍ଷର ନାତୁଣୀକୁ ଧରି ଜୀବନ ଘେନି ରହିବ କେମିତି?

ଆଈଙ୍କ ଆଖିରେ ଲୁହ। ସେ ବାହୁନି ବାହୁନି କାନ୍ଦୁଛି ଓ ନିଜ ଝାଟିମାଟି ନଡା଼ ଛପରକୁ ସଜାଡୁଛି। ସେହିବାଟ ଦେଇ କେତେକେତେ ବଡ଼ ବଡି଼ଆ ଲୋକ ଯାଉଛନ୍ତି ହେଲେ କାହାରି ମୁହଁରୁ ଆହା ଶଦ୍ଦ ବାହାରୁ ନାହିଁ। ଆଈ କରିବେ କଣ ନିଜକୁ ସମ୍ଭାଳି କର୍ମରେ ବ୍ଯସ୍ତ ହେଲା ବେଳେ ଜଣେ ସାମ୍ବାଦିକ ଆଈଙ୍କର ଦୃଷ୍ଟି ଆକର୍ଷଣ କଲେ। ଟିଭି,ରେଡି଼ଓ,ଖବର କାଗଜ,ଫେସବୁକ୍,ୟୂଟୁବ ଚ୍ଯାନେଲରେ ପ୍ରଚାର ଓ ପ୍ରସାର ହେବାରୁ ବ୍ଲକରୁ ବିଡି଼ଓ ମହୋଦୟ ଆସି ଆଜି ପାଇଁ ପାଞ୍ଚଶହ ଟଙ୍କା ଧରାଇ ଦେଇ ତାର ସବୁ ବ୍ଯବସ୍ଥା ଆଗକୁ କରିଦେବେ ବୋଲି ଆଶ୍ବାସନା ଦେଇ ଚାଲିଗଲେ।

ଆଜକୁ ତିନିମାସ ହେଲାଣି ଯାଇଛନ୍ତି ଯେ ଯାଇଛନ୍ତି। କାହାର ଦେବା କଥା ଦୂରର ଥାଉ ଦର୍ଶନ ମିଳୁ ନାହିଁ ତ ଆଈ ବସିକି ଭାବୁଛନ୍ତି। ଦୁନିଆଟା ହିଁ ଏହିପରି। ମୁଁ ମୋର ସଂସାର ଯେବେ କରିଥିଲି କିଏ ମୋତେ ଜନ୍ମ ଦେବାବେଳେ କହିଥିଲେ କି ତୁମେ ଯେତେପାର ସେତେ ସଂସାର ବଢା଼ଅ ଆମେ ସରକାର ଲୋକେ ସବୁ ବୁଝିବୁ। ଆଈ ମନେମନେ ଭାବିଲେ ଆଉ ଈଶ୍ବରଙ୍କୁ ଶତକୋଟି ଧନ୍ଯବାଦ ଦେଲେ କି ଆପଣଙ୍କ ଇଛା ପୂର୍ଣ୍ଣ ତ ହେଲା। ମୋର ସବୁକୁ ଛଡେ଼ଇ ନେଲ ଏବେ ଆମେ ଦୁହେଁ ବଞ୍ଚି ରହିଛୁ କ’ଣ ଭବିଷ୍ଯତ ଉଜ୍ଜଳ କରିବୁ?

ଆଈ ଭାବୁଭାବୁ ଚୁଲିରୁ ଜାଉ ଆଉ ଲୁଣ ବାଢୁବାଢୁ ନାତୁଣୀ ଚିତ୍କାର କରି ଡାକିଲେ,”ଆଈ ! ଭାରି ଭୋକ।” କଥା ନ ସରୁଣୁ ଆଈ ପରଶିଦେଲେ ଖାଦ୍ଯ ତ ନାତୁଣୀ ଭାତ,ଲୁଣ ଓ ନିଜର ଲୁହ ମିଶାଇ ଖାଇ ଚାଲିଲା। ଆଈ ନାତୁଣୀର କଷ୍ଟ ମର୍ମେମର୍ମେ ଅନୁଭବ କରୁଥିଲେ ଓ ନିଜ ଆଖିରୁ ଲୁହ ଗଡେ଼ଇ ଦେଇ ନାତୁଣୀକୁ କୁଣ୍ଢାଇ ଧରିଲେ।

ଆକାଶରେ ସୂର୍ଯ୍ଯ ବୁଡି଼ ଯାଉଥିଲେ ଓ ଚଢେ଼ଇଙ୍କ ଚିରିରି ମିଚିରି। ଦେଖୁ ଦେଖୁ ଅନ୍ଧାର ଘୋଟିଦେଲା ଦୁଇ ଆଈ ନାତୁଣୀ ଭୂମି ଉପରେ ଶୋଇଗଲେ ଯେମିତି ଅଚିନ୍ତା ନିଦ।

ସୁକାନ୍ତ ଖଣ୍ଡା

କେନ୍ଦୁଝର