ଶାଶ୍ଵତ ପ୍ରେମ – ଅନିଲ କୁମାର ମିଶ୍ର
1 min read
ଯମୁନା ର କୂଳେ କଦମ୍ବ ରମୂଳେ
ଜ୍ୟୋତ୍ସ୍ନାଧୋତ ଏକ ଜାମିନୀ ରେ ।
କାହ୍ନୂ ସଙ୍ଗେ ରାଈ ଭେଟପଡେ ଯାଇ
ନିର୍ଜନେ, ନିରବେ,ପ୍ରେମଭରେ ।।
ଓଷ୍ଠେ ଲାଗିଥାଏ ମୋହନ ମୁରଲୀ
ମୁଦ୍ରିତ ନୟନେ ନଟବର ।
ପୟର ପ୍ରସାରି ବୃକ୍ଷେ ଆଉଜେଇ
ଉପବେଶିତ ସେ ଦଧିଚୋର ।।
କୋଳେରଖି ଶୀର ମୁକୁଳିଲେ କେଶି
ନିର୍ନିମେଷ ନୟନରେ ରାଇ ।
କୃଷ୍ଣ ଚନ୍ଦ୍ର ମୁଖ ପ୍ରେମରେ ଅନାଏ
ଚକୋରୀ ର ତୃଷ୍ଣା ହୃଦେ ନେଇ।।
କାହ୍ନୁ ମୁଖ ଛଟା ମୋହନ ମୁରତି
ମନଲୋଭା ତା’ର କୃଷ୍ଣବର୍ଣ୍ଣ ।
କଳାମେଘ କୋଳେ ଚପଳା ପରାଏ
ଯଥା ଦିଶୁଥାଏ ଶ୍ୟାମଘନ ।।
ମନକଥା ମନେ ରୋକିପାରେ ନାହିଁ
ପଚାରେ ରାଧିକା ପ୍ରେମଶୀଳା ।
କାହିଁ ପାଇଁ ତୁମ ତନୁର ବରନ
ଶୋଭାପାଏ ଯେହ୍ନେ ଚନ୍ଦ୍ର କଳା ??
ମୁରୁକି ମୁରୁକି ହସି ଚିତ୍ତଚୋର
ବୋଲେ ରାଧିକା ର ମୁଖ ଚାହିଁ।
ଷୋହଳ କଳାରେ ତନୁମୋର କଳା
ବୁଝି ପାରୁନକି ଆଗୋ ରାଇ ??
ନୁହେଁ କଳା ମୋର ଯଶୋମତୀ ମାଆ
ଅବା ମୋ ପିଅର ନନ୍ଦରାଜା ।
ଦେବକୀ ମାତା ମୋ ଅଟେ ରାଜ ଜେମା
ପିତା ବସୁଦେବ ରୂପେ ତେଜା ।।
କଳା ବୋଲି ମୋତ କିଏ କହେ କାହ୍ନୁ
ସ୍ନେହେ କେ କହେ କଳାକହ୍ନେଇ।
ଅବା ଶ୍ୟାମଘନ ସ୍ନେହେ ବୋଲେ କୃଷ୍ଣ
ଡାକ ଶୁଣି ପାଶେ ଯାଏ ଧାଇଁ ।।
ମୋ ଶାଶ୍ୱତ ପ୍ରେମେ ବନ୍ଧା ପଡିଅଛ
ଆଗୋ ରାସେଶ୍ୱରୀ ଗୋପବାଳା ।
ତୁମେ ହେଲେ ଗୋରୀ ମୁଁ ଯେ କଳା ଚାନ୍ଦ
ପ୍ରେମ ମାନେ ନାହିଁ ଗୋରା କଳା ।।
ଅନିଲ କୁମାର ମିଶ୍ର
ସୁବର୍ଣ୍ଣପୁର
ଇ-ମେଲ୍ :anilmishrabinka@gmail.com
ହ୍ୱାଟ୍ସଆପ୍ ନମ୍ବର :9438310972
ସାହିତ୍ୟ ଜୀବନ ର ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
🙏🙏🙏🙏🙏