Sahitya Jibana

Portal on odia literature

ମମତାମୟୀ ଜନନୀ – ଗଗନ କୁମାର ଦାଶ

1 min read

ବୋଉ ବୋଉ ବୋଲି ଡାକୁଛି ତୋତେ ମୁଁ
ମୋ ଡାକ କି ଶୁଭୁନାହିଁ,
ବୋଉ ନାହିଁ ଯାର ସାହା ନାହିଁ ତା’ର
ସାହା ଖାଲି ଭାବଗ୍ରାହୀ ।

ତୋହର ଋଣକୁ ସୁଝି ନ ପାରିବି
ଏହି ଜୀବନରେ ମୁହିଁ,
ବୋଉଙ୍କର ଭଲି ଜୀବନ୍ତ ପ୍ରତିମା
ଖୋଜିଲେ ମିଲିବ ନାହିଁ ।

ଦଶ ମାସ ଗର୍ଭେ ଧରିଥିଲୁ ମତେ
ଅନେକ ଯନ୍ତ୍ରଣା ସହି,
ସ୍ବର୍ଗ ଠାରୁ ତୁହି ଆହୁରି ମହାନ୍
ତୋପରି ଆଉ କେ ନାହିଁ ।

କେତେ ଭଗବାନ ପୂଜି ଅଛି ବୋଉ
କେତେ ମନାସିଛି ସିଏ,
କେତେ ସେ କଷଣ ସହିଛି ଜୀବନେ
ପାଇବ ସନ୍ତାନଟିଏ ।

ଆକାଶ ଠୁ ବଡ଼ ବିଶାଳ ହୃଦୟ
ମମତାର ଗନ୍ତାଘର,
ସ୍ନେହର ସାଗର ପ୍ରେମର ଅମ୍ବର
ହୃଦୟଟି ସ୍ବର୍ଗ ପୁର ।

ନ ଖାଇ ନ ପିଇ ପିଲାଙ୍କୁ ଖୁଆଏ
ଭୋକେ ଶୋଷେ ରହିଯାଏ,
ରୋଗ ବୈରାଗ ରେ ମୁଣ୍ଡ ପାଖେ ବସି
କେତେ ସେବା କରୁଥାଏ ।

ବର୍ଷ ସାରା ସିଏ ବ୍ରତ ଉପବାସ
କରେ ସନ୍ତାନ ର ପାଇଁ,
କେତେ ସେ ମନାସେ ଠାକୁରଙ୍କ ପାଶେ
ସୁଖ ସମୃଦ୍ଧିକୁ ନେଇ ।

ରକ୍ତ ମାଂସ ଦେଇ ଗଢଇ ସନ୍ତାନ
ତାପରି ଦାନୀ କେ ନାହିଁ,
ତାର ଆଶିର୍ବାଦେ ସମସ୍ତ କୁଶଳ
ସବୁ ମଙ୍ଗଳ ହୁଅଇ ।

ଅଭାବି ଜୀବନେ ସାମଞ୍ଜସ୍ୟ ରଖି
ଘରକୁ ସମ୍ଭାଳି ନିଏ,
ଲହୁ ଲୁହ ଢାଲି କର୍ମ କରିଥାଏ
ବୋଉ ମୋର ଅଟେ ସିଏ ।

ଧରିତ୍ରୀ ପରି ସେ ସବୁ ସହି ଯାଏ
ମଥା ପାତି ଏ ସଂସାରେ,
କୋଟି ନମସ୍କାର କରେ ମୁଁ ପାମର
ଧରି ତାହାରି ପୟର ।

************************
ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫

Copyright © Sahitya Jibana | Newsphere by AF themes.
Open chat
Hello
How can you help we?