Sahitya Jibana

Portal on odia literature

ମା’ କୁ ମୁଁ ତୁ କହୁଛି ହେଲେ ସ୍ତ୍ରୀ କୁ ମୁଁ ତମେ କହୁଛି – ପ୍ରୀତି ରଞ୍ଜନ ପ୍ରଧାନ

1 min read

ମା’…ମୁଁ ତୋତେ ତୁ କହୁଛି

ମା’…ସବୁ ସମ୍ପର୍କ ଏଠି ମିଛ ରେ ଚାଲିଛି
ତୁ ତ ମୋ ଠାରୁ ବୟସରେ ଯଥେଷ୍ଟ ବଡ଼,
                 ତୁ ତ ମୋତେ ଜନ୍ମ ଦେଇଚୁ,
ତଥାପି ମୁଁ ତୋତେ ତୁ କହୁଛି…..
ହେଲେ ଜାଣିଚୁ ମା’ ମୁଁ ଯାହାକୁ କାଲି ବାହା ହୋଇକି ଆସିଛି ….
            ମୁଁ ତାକୁ ତମେ କହୁଛି ।।

ମା’ …ଆଜିବି ତୋ କଥା ମୋର ଗୋଟି ଗୋଟି ମନେ ଅଛି ,
ବର୍ଷାରେ ଭିଜିକି ଆସିଲେ ମୁଁ ତଳି ପାଦରେ ରସୁଣ ଫୁଟା ଗରମ ସୋରିଷ ତେଲ ମାରୁଛି,
ଆଉ ସେ ତେଲ ତୋରି ବୋହୂ ମୋ ପାଦରେ ମାରି ଦଉଛି,
ହେଲେ ମା’.. ତୋ ହାତର ମାଲିସ ଆଉ ତୋ ବୋହୂ ହାତର ମାଲିସ କେତେ ଅଲଗା ଅଲଗା ଲାଗୁଛି,
ତଥାପି ମୁଁ ତୋତେ ତୁ ଆଉ ତାକୁ ତମେ କହୁଛି ।।

ମା’…କେବେ କେବେ ପେଟ ଖରାପ ଲାଗିଲେ ତୁ ଜଡ଼ା ତେଲ ନହେଲେ ନଡ଼ିଆ ତେଲ ମାରି ଦଉଥିଲୁ,
ଆଉ କହୁଥିଲୁ କିଏ ସେ ବଦମାସ ଲୋକ ମୋ ପିଲା ର ଖାଇବା ଉପରେ ନଜର ପକେଇ ଦେଇଛି,
ଏବେ ବି କେବେ କେବେ ସେମିତି ହଉଚି,
ହେଲେ ତୋ ବୋହୂ ମୋ ପେଟ ରେ ତେଲ ମାରୁ ମାରୁ ରାଗରେ କଣ କହେ ଜଣିଛୁ ?
ଯାଅ.. ଆହୁରି ବାହାରେ ବୁଲି ବୁଲି ଲୋକଙ୍କ ଆଗରେ ଖାଇବ ଯାଅ…
ଏବେ ବୁଝୁଛି ତୋ ଶାସନ ଆଉ ତୋ ବୋହୂ ର ଶାସନ ଭିତରେ କେତେ ଫରକ ଅଛି ,
ସେଇଥିପାଇଁତ ମୁଁ ତୋତେ ତୁ ଆଉ ତାକୁ ତମେ କହୁଛି ।।

ମା’…ଜ୍ୱର ରେ ଯେତେବେଳେ ମୋ ଦେହ ରେ ତାତି ଉଠୁଥିଲା,
ମୋରି ପାଖରେ ବସି ଠାକୁରଙ୍କୁ ତୁ କେତେ ମୁଣ୍ଡିଆ ମାରୁଥିଲୁ,
ଦୋକାନ ରୁ ଔଷଧ ଆସିବା ଆଗରୁ ମୋତେ ସିଙ୍ଗାରହାର ପତ୍ର ଆଉ ତୁଳସୀ ପତ୍ର ରସ ପିଇବାକୁ ଦଉଥିଲୁ ,
ଆଉ ଏବେ ବି ତୋ ବୋହୂ ଠିକ ସେମିତି ବ୍ୟସ୍ତ ହୋଇ ପଡୁଛି,
ଠାକୁରଙ୍କୁ ମୁଣ୍ଡିଆ ମାରୁଛି,
ହେଲେ ପତ୍ର ର ରସ କାଢ଼ିବା ଦେବା ଆଗରୁ ସେ ମୋତେ ଔଷଧ ଦୋକାନ ରୁ ଔଷଧ ଆଣି ଦଉଛି,
ହୁଏତ ରସ କାଢ଼ିବାକୁ ତାକୁ ସଂକୋଚ ଲାଗୁଚି,
ବୋଧେ ଏଇଥିପାଇଁ ମୁଁ ତୋତେ ତୁ ଆଉ ତାକୁ ତମେ କହୁଛି ।।

ମା’… ତୋ ଭଲ ପାଇବାର ମିଛ ନାହିଁ,
ତା ଭଲ ପାଇବାରେ ବି ମିଛ ନାହିଁ ,
ତୁ ମିଛ କହିଲେ ତୋ ମିଛ କୁ ମୁଁ ଧରି ପାରେନି,
ହେଲେ ସେ ମିଛ କହିଲେ ତା ଉପରେ ଆଉ ବିଶ୍ୱାସ ରହେନି ,
ତୁ ମୋ ମା’, ଆଉ ସେ ମୋ ପିଲା ର ମା’
ତା’ମାନେ ମା’ ସମ୍ପର୍କ ଟା ହିଁ ସବୁବେଳେ ସତ ଅଛି ,
ଆଉ ବାକି ସମ୍ପର୍କରେ କେବଳ ସ୍ୱାର୍ଥ ଅଛି ,
ମା’… ସେଇଥିପାଇଁତ ମୁଁ ତୋତେ ତୁ ଆଉ ତାକୁ ତମେ କହୁଛି ।।।

(ମା’ ଚିର ନମସ୍ୟ🙏)

ପ୍ରୀତି ରଞ୍ଜନ ପ୍ରଧାନ
(MA ,ଓଡ଼ିଆ- ସରକାରୀ ଶିକ୍ଷକ , ଗଞ୍ଜାମ )

Copyright © Sahitya Jibana | Newsphere by AF themes.
Open chat
Hello
How can you help we?