Sahitya Jibana

Portal on odia literature

ବୋଉ – ପ୍ରଦୀପ୍ତ କୁମାର ସାହୁ

1 min read

ବୋଉ!
ଆଜିକାଲି ଏ ଶବ୍ଦର ଅନେକ ଅଭାବ
ତୁ ଗଲାପରେ।
ମନେନାହିଁ ପଛଥର କେବେ ଡାକିଥିଲି
‘ବୋଉ’ ବୋଲି,
ହେଲେ ପ୍ରତିଥର ମୋ ମନରେ ଉଙ୍କିମାରେ,
ପରିପ୍ରକାଶ ହୁଏ ଦିଟୋପା ଲୁହରେ,
ଆଖିଯେବେ ଲାଖିଯାଏ ତୋ
ଛବି ଉପରେ।
ଆଜିକାଲି ଏ ଶବ୍ଦର ଅନେକ ଅଭାବ
ତୁ ଗଲାପରେ।

ବୋଉ!
ଜଣାନାହିଁ ଏ ସମ୍ବୋଧନର ପରିଭାଷା;
ଏକ ଐଶ୍ବରିକ ବନ୍ଧନ ବା ଐହିକ ଅଭିଳାଷା।
ହେଲେ ଏ ଶବ୍ଦରେ ଯୋଡା
ସାରା ଜୀବନର ଏକ ଆଶ୍ଳିଷ୍ଠ ଭରସା।
ମୁଁ ସମାବୃତ, ସମାବିଷ୍ଠ ସେ ମମତାରେ
ଆଜିକାଲି ଯାହା ଅନେକ ଅଭାବ
ତୁ ଗଲାପରେ।

ବୋଉ!
ଜଣାନାହିଁ ଏ ଉଚ୍ଚାରଣର ମଧୁରତା
ଛୁଇଁଯାଏ ହୃଦୟକୁ ଅବ୍ଯକ୍ତସେ ଗଭୀରତା।
ଓଁକାରଠୁ ପବିତ୍ରସେ ଆକାଶଠୁ ଅନାବିଳ।
କ୍ଳାନ୍ତ ମୁଁ, ଅବସ ମୁଁ, ପଥଭ୍ରଷ୍ଟ
ଥକାନେବାକୁ ତୋ ସ୍ନେହ, ମମତା
ଓ କରୁଣା ସିକ୍ତ ପଣତ ଛାଇରେ।
ଆଜିକାଲି ଯାହା ଅନେକ ଅଭାବ
ତୁ ଗଲାପରେ।

****
ପ୍ରଦୀପ୍ତ କୁମାର ସାହୁ
ଭୁବନେଶ୍ୱର ଖୋର୍ଦ୍ଧା
PIN 751025
ହ୍ୱାଟ୍ସଆପ୍ ନମ୍ବର :
8658257777

Copyright © Sahitya Jibana | Newsphere by AF themes.
Open chat
Hello
How can you help we?