Sahitya Jibana

Portal on odia literature

ମମତାମୟୀ ଜନନୀ – ମଧୁସ୍ମିତା ନାୟକ

1 min read

ମାଆ ବୋଲି ଯେଉଁ ଦୁଇଟି ଅକ୍ଷର
ଶିଖିଲି ତୋ ଠାରୁ ମୁଇଁ ।
ଯେତେ ଡର ଥିଲେ ଉଭା ହୋଇ ଯାଏ
ତୋ ମୁହଁକୁ ଦେଲେ ଚାହି ।।
ହସରୁ ତୋହର ମୁକୁତା ଝରଇ
ଲୁହରୁ ଲହୁର ଧାର ।
ସବୁ କଷ୍ଟ ଏକା ସହିଯାଉ ମା
ଦେଇ ସଭିଙ୍କୁ ଆହାର ।।
ଦେହ ଖରାପରେ ରାତି ରାତି ଜଗି
ବସିଥାଉ ପିଲା ପାଶେ ।
ତୋରି ଦୁଃଖକୁ ଦେବତା ଡରଇ
ରଖେ ତୋ ପିଲାଙ୍କୁ ଯଶେ ।।
ମାଆ ତୋ ମମତା ପାସୋରି ହୁଏନି
ଯେତେ ଦୂରେ ଥିଲେ ମୁହିଁ ।
ଆଜି ବି ସେ ଦିନ ମନେ ମୋର ଅଛି
ଜମା ଭୁଲି ହୁଏ ନାହିଁ ।।
ଆଜି ଶାଶୁ ଘରେ ମାଆ ଟିଏ ହୋଇ
ନିଏ ମୋ ପିଲାର ଯତ୍ନ ।
ତୋ ଠାରୁ ଶିଖିଛି ମା’ର କର୍ତ୍ତବ୍ୟ
ଭୁଲିଯାଇ ସୁଖ ମନ ।।
ମୋ ଦୁଃଖରେ ତୁ ଦୁଃଖୀ ହେଉ ଥାଉ
ସୁଖରେ ଡାକୁ ଠାକୁର ।
ତୋ କଷ୍ଟର ମୂଲ୍ୟ ସୁଝି ହେବ ନାହିଁ
ଯେତେ କଲେ ଉପକାର ।।
ଦୁନିଆରେ ସବୁକିଛି ମିଳେ ସ୍ବାର୍ଥ ଭାବେ
ତୋ ପ୍ରେମ ନିଃସ୍ଵାର୍ଥପର ।
କାହିଁକି ଏତେ ତୁ କରୁ ପିଲା ପାଇଁ
ଆଜି ମୁଁ ବୁଝିଛି ସୁନ୍ଦର ।।
ବାପା ମାଡ଼ ଦେଲେ ତୁ କାନ୍ଦୁ ଥାଉ
ଆମ ଲୁହ ଦେଖି ଦୁଃଖୀ ।
ସତରେ ଲୋ ମାଆ ତୋ ଦୁଃଖ ଆମେ
ବୁଝି ପାରୁନାହୁଁ ଦେଖି ।।
କେଉଁ ଧାତୁ ରେ ଗଢିଛି ବିଧାତା
ଦାଗ ଦେଇନାହିଁ ତୋତେ ।
ହସ ହସ ମୁଁହ ସବୁବେଳେ ତୋର
ଉତ୍ସାହ ଦିଏ ଯେ ମୋତେ ।।
ଗୁଣ ତୋ ଅପାର ସରିବ ନାହିଁ ଲୋ
ଯେତେ ଗାଉଥିଲେ ମୁହିଁ ।
ଆଶୀର୍ବାଦ ଖାଲି ରଖିଥା ମୋ ମା
ତୋ ପାଇଁ ଲେଖିବା ପାଇଁ ।।

ମଧୁସ୍ମିତା ନାୟକ ,କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?