Sahitya Jibana

Portal on odia literature

ମୋ ମାଆ – ରାଜଲଷ୍ମୀ ବାରିକ

1 min read

ବେଦର ପ୍ରଣବ ଓଁ କାର ଧ୍ୱନି ତୁ
ବେଦାନ୍ତର ପରିଭାଷା
ସୃଷ୍ଟିର ଆଦ୍ୟ ଚିନ୍ତନ ତୁ ମାଆ
ସର୍ଜନାର ନବ ଆଶା l
ମମତାମୟୀ ତୁ ସ୍ୱରର ରାଗିଣୀ
ଶବ୍ଦ ବୀଣା ର ଝଙ୍କାର
ଶିଶୁର ଦରୋଟି ଓଠରେ ତୋ ନାମ
ପହିଲି ପ୍ରେମର ସ୍ୱର l
ଅସ୍ପଷ୍ଟ କଣ୍ଠରେ ଅଧୀରେ ଶୁଭଇ
ଅମୃତ ବୋଳା ନାଁ
ପ୍ରତି ମୁହୂର୍ତ୍ତରେ ତୋ ନାମ ତୁଣ୍ଡରେ
ମାଆ ମାଆ ଖାଲି ମାଆ l
ସୃଷ୍ଟି ର ସମ୍ଭାରେ ସୌନ୍ଦର୍ଯ୍ୟ କରି
ସୃଷ୍ଟି କରିଲେ ସ୍ରଷ୍ଟା
ସ୍ନେହ ମମତାର ଅନାବିଳ ମୂର୍ତ୍ତୀ
ପରିପୂର୍ଣ୍ଣ ତ୍ୟାଗ ନିଷ୍ଠା l
ଅସହ୍ୟ ବେଦନା ବୁକୁ ପରେ ତୋର
ସ୍ମିତ ହାସ୍ୟ ମୁହେଁ ଖେଳେ
ସର୍ବ ସହା ତୁହି ସହି ଯାଉ ସବୁ
ସନ୍ତାନର ସୁଖ ଭୋଳେ l
ଶିକ୍ଷା ସଂସ୍କାର ଅଭିଧାନ ତୋର
ଅଲେଖା ପୁସ୍ତକ ଟିଏ
ତୋର ସମ୍ବିଧାନ ନିୟମ ଭିତରେ
ଶିଶୁ ଟିଏ ଗଢ଼ା ହୁଏ l
ସମାଜ ଦାଣ୍ଡରେ ଜଣେ ହେବା ଲାଗି
ଦେଉ କେତେ ନୀତି ଶିକ୍ଷା
ଶିଶୁର ପ୍ରଥମ ଶିକ୍ଷୟିତ୍ରି ସାଜି
ଦେଇ ଥାଉ ତାକୁ ଦୀକ୍ଷା l
ବିନା ପାଉଣା ରେ ଶ୍ରମ କରି ଯାଉ
ଲଗାଇ ଜୀବନ ବାଜି
ଅଶାର ଆଲୋକ ଜାଳି ଦେଇଥାଉ
ସଳିତା ଟିଏ ତୁ ସାଜି l
ଆସୁ ଯେତେ ଝଡ଼ ସନ୍ତାନ ସମୁଖେ
ନିର୍ବିଘ୍ନ ରେ ଠିଆ ହେଉ
ହିମାଦ୍ରୀ ସମ ଦୃଢ଼ ପ୍ରତିଜ୍ଞା
ଅବା ସତେ ନେଇ ଥାଉ l
ଛୁଇଁ ପାରେ ନାହିଁ ଦୁଃଖର ଲହରୀ
ଉତ୍ତାଳ ତରଙ୍ଗ ସାଜି
ମାଆ ର ପଣତ ଅଭୟ କବଚ
ଶ୍ରୀମନ୍ଦିର ନେତ ବାଜି l
ଯେତେ ସେବା କଲେ ସନ୍ତାନଟି କେବେ
ସୁଝି ପାରେ ନି ତୋ ଋଣ
ସାତ ଜନ୍ମ ଗଲେ ଅଛିଣ୍ଡା ସେ ଅଙ୍କ
ସୁଧ ମୂଳ ର ମିଶାଣ l
କଳ୍ପନାର ସ୍ୱର୍ଗ ତୁଛ ଲାଗି ଥାଏ
ତୋ କୋଳେ ପଡିଲେ ଶୋଇ
ସବୁ ବାଧା ବିଘ୍ନ ଦୂର ହୋଇ ଯାଏ
ତୋ ହାତ ପରଶ ପାଇ l
ଶ୍ରଦ୍ଧା ଭକତିରେ ଛୁଇଁ ଦେଲେ ଥରେ
ତୋର ସେ ଦୁଇ ପୟର
ମୁଣ୍ଡ ପରେ ଝରେ ତୋ ଶୁଭ ଆଶିଷ
ହୋଇ ଶ୍ରାବଣର ଧାର l
ଜନ୍ମେ ଜନ୍ମେ ମାଆ ତୋ କୋଳେ ଆସିବି
ଦେଏ ତୁ ଆଶିଷ ଥରେ
ତୋର ଝିଅ ହୋଇ ଧନ୍ୟ ହୋଇଛି ମୁଁ
ଆଜି ଏହି ସମାଜରେ l

ରାଜଲଷ୍ମୀ ବାରିକ, ଯୋବ୍ରା, କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?