Sahitya Jibana

Portal on odia literature

ଅକ୍ଷୟ ତୃତୀୟା – ସୁକାନ୍ତ ଖଣ୍ଡା

1 min read

ଅଜା ସକାଳୁ ଉଠି ନିଜର ନିତ୍ଯକର୍ମ ସାରି ଅକ୍ଷୟ ତୃତୀୟା ପାଇଁ ସଜବାଜ ହେଲେ। ଅଜାଙ୍କୁ ସାହାଯ୍ଯ କରୁଥିଲେ ବାପା,ମାଆ ଓ ଆଈ। ସଭିଙ୍କର ଆନନ୍ଦ ଯେ ଆଜି ଧାନ ବୁଣିବା ପାଇଁ ଶୁଭ ଅନୁକୂଳ ହେବ। ଘରେ ଆନନ୍ଦର ମାହୋଲ। ଆଈ ତୁଳସୀ ଚଉରା ମୂଳେ ଲିପାପୋଛା କଲେ। ନୂଆ କଳସଟିଏ ବସାଇ ନୂଆ ଗଉଣୀରେ ଧାନ,ବସ୍ତ୍ର ଓ ପିଠା ଥୋଇଲେ। ତୁଳସୀ ମୂଳେ ପୂଜାର୍ଚ୍ଚନା କଲେ। ହଳ ଧରି ବାପା ଆଗେଇ ଗଲେ ତ ଅଜା ନୂଆ ଗଉଣୀକୁ କାନ୍ଧରେ ଧରି ଚାଲିଲେ। ବାପା ହଳକୁ ଆଗରୁ ନେଇ ଠିଆ କରେଇଲେ। ଅଜା ଈଶାନ କୋଣରେ ନୂଆ କଳସ ସ୍ଥାପନ ପୂର୍ବକ ଗଉଣୀକୁ କଳସ ଆଗରେ ଥୋଇ ମାଆ ଲକ୍ଷ୍ମୀଙ୍କୁ ଆବାହନ କଲେ। ଧୂପ,ଦୀପ,ସିନ୍ଦୂର ଓ ନୂଆ ଲୁଗା ପିନ୍ଧାଇ ପୂଜା କଲେ। ଗୋଟିଏ ବର୍ଷର ଶସ୍ଯ ଭଲରେ ସଫଳ କରେଇ ଦେବାକୁ ମାଆ ଲକ୍ଷ୍ମୀଙ୍କୁ ବିନତି ଜଣେଇଲେ। ପରେପରେ ଈଶାନ କୋଣରେ ପୂଜାର୍ଚ୍ଚନା ପରେପରେ ସାରା ବିଲକୁ ନୂଆ ଧାନ ବୁଣିଲେ। କିଛି ଧାନଶସ୍ଯ ବଳଦଙ୍କୁ ଖୁଆଇଲେ। ପ୍ରଣାମ ଓ ପ୍ରାର୍ଥନା କରି ଅଜା ଗଉଣି ଧରି ଫେରି ଆସିଲେ। ବାପା ବିଲକୁ ପୂରା ହଳକରି ଫେରିଲେ। ମୁଁ ପାଖରେ ଥାଇ ସବୁ ଦେଖୁଥିଲି। ଅଜାଙ୍କ ପିଛାପିଛା ଲସର ପସର ହେଉଥିଲି। ନୀରବରେ ଦେଖି ବି କୌଣସି ପ୍ରଶ୍ନ ପଚାରିଲି ନାହିଁ। ଘରେ ପହଁଞ୍ଚିବା ପରେ ମାଆ ଅଜା ଓ ମୋତେ ଭୁରି ଭୋଜନ ଖାଇବାକୁ ଆମନ୍ତ୍ରଣ କଲେ। କ୍ଷୀରି,ପଲଉ,ପନୀର,ଭାତ,ଡାଲି,ତରକାରୀ ଆଦି ମାଆ ବାଢି଼ଦେଲେ ତ ଆମେ ଦୁହେଁ ପେଟେ ଖାଇଲୁ। ଏଥର ଅଜା ବିଶ୍ରାମ ପାଇଁ ତାଙ୍କ କକ୍ଷକୁ ଗଲେ ତ ମୁଁ ଯାଇ କହିଲି,”ଅଜା ! ଆଜି ଯେ ଏତେଏତେ ସବୁ ହେଲା କ’ଣ ପାଇଁ କି?” ଯଦିଓ ଅକ୍ଷୟ ତୃତୀୟା ବୋଲି କାନରେ ବାଜିଥିଲା ହେଲେ ସମ୍ପୁର୍ଣ୍ଣ ଘଟଣା ମୋତେ ଜଣା ହିଁ ନ ଥିଲା। ଅଜା ଖଟରେ ଗଡୁଗଡୁ କହିଲେ,”ନାତିଟୋକା ! ଆଜି ଅକ୍ଷୟ ତୃତୀୟା। କୃଷକ ମାନଙ୍କର ଗୋଟିଏ ମହାପର୍ବ। ଏହିଦିନ ମାଆ ଲକ୍ଷ୍ମୀଙ୍କୁ ଆବାହନ କରି ପୂଜାର୍ଚ୍ଚନା ପୂର୍ବକ ଧାନ ବୁଣିବା ଅନୁକୂଳ ହୋଇଥାଏ। ଘରେଘରେ କୃଷକମାନେ ପୂଜାପାଠ କରି ଧାନ ବୁଣିବା ଆରମ୍ଭ କରନ୍ତି। ଆଜି ଭଲ ଓ ଶୁଭଦିନ ହୋଇଥିବାରୁ ସମସ୍ତ ଶୁଭକାମ କଲେ ସୁଫଳ ମିଳେ।। ଆଜିର ଶୁଭ ଦିନକୁ କୃଷକମାନେ ଚାତକ ପକ୍ଷୀ ପରି ଅନେଇଥାନ୍ତି। ଏ କଥା ଶୁଣି ମୁଁ ତ ଖୁସି ହେଲି। ଆଗରୁ ଶୁଣିଥିଲି କି ଏହି ଦିନରେ ବି କାଳେ ଜଗନ୍ନାଥଙ୍କ ରଥଗଢି଼ବା ଆରମ୍ଭ ହୁଏ? ଅଜା ହଁ ଭରିଲେ ତ ମୁଁ ଅଜାଙ୍କୁ ପ୍ରଣାମ ଓ ଧନ୍ଯବାଦ ଦେଇ ପଳେଇ ଆସିଲି ପଡୋଶୀଘରେ ଘର ପ୍ରତିଷ୍ଠା ଶୁଭକାର୍ଯ୍ଯ ଦର୍ଶନ ପାଇଁ। ଅଜା ମୋ’ର ଚାଲିଯିବା ବାଟକୁ ଅନେଇ ରହିଲେ।

ସୁକାନ୍ତ ଖଣ୍ଡା, କେନ୍ଦୁଝର