Sahitya Jibana

Portal on odia literature

ଖରା କାନ୍ଦୁଛି ବସି – ସୁକାନ୍ତ ଖଣ୍ଡା

1 min read
seashore under white and blue sky during sunset

ଖରା ଈଶ୍ବରଙ୍କ ଇଛାରେ ଡହଡ଼ହ ଓ ଗୁଳୁଗୁଳି ଛାଡି଼ଲା। ତା’ର ପ୍ରଭାବରେ ସାରା ଜଗତ ଅତୀଷ୍ଟ ହୋଇଗଲେ। ପ୍ରାଣୀ ଓ ଉଦ୍ଭିଦ ଝାଉଁଳି ଗଲେ ତ କେତେ ମରିଗଲେ। ଏ ଦୃଶ୍ଯ ଖରାର ହୃଦୟକୁ ବାଧିଲା। ସେ ସକଳ ଶକ୍ତିର ଆଧାର। ତା’ର ବିନା ଏ ସୃଷ୍ଟି ଚାଲିବା ଅସମ୍ଭବ। ହେଲେ ଏମିତି କଷ୍ଟ ଦେବା ସମିଚୀନ ନୁହେଁ। ସେ ବସି କାନ୍ଦିଲା ଆଉ କାନ୍ଦିଲା। ଏ ଦୃଶ୍ଯ ପବନ ଦେଖିନେଲା। ସେ ଈଶ୍ବରଙ୍କୁ ଯାଇ ସବୁ କଥା ଖୋଲିକି କହିଲା ତ ଈଶ୍ବର କହିଲେ,'”ପବନ ! ଏହା ଖରାର ଉଦାରତା ହେଲେ ତାକୁ ଏ କାମ କରିବାକୁ ହିଁ ହେବ। ସେଇ କଠିନ ଡହଡ଼ହ ଖରା ଓ ଗୁଳୁଗୁଳି ପ୍ରାଣୀ ଓ ଉଦ୍ଭିଦଙ୍କ ଭବିଷ୍ଯତ ଜଳଜଳ ଦେଖା ଯାଉଛି।” ଏ କଥା ଶୁଣି ପବନ ଅଟକି ଗଲା। ସେ ଖରାର ସପକ୍ଷରେ ଥିଲା ହେଲେ ଈଶ୍ବରଙ୍କ କଥା ଶୁଣି ବୁଝିଲା କାମ ହାତକୁ ନେଇଛୁ ମାନେ ହିଁ ତ କରିବାକୁ ହେବ। ପବନ ଏବେ ପ୍ରଖର ଖରାର ହାତ ଧରି ଜୋରରେ ତତଲା ପବନ ବୋହିଲା। ଦେଖୁଦେଖୁ ଚାରିଆଡେ଼ ଗରମରେ ସଭିଏଁ ଆତଙ୍କିତ ହେଲେ। ସଭିଏଁ ତ୍ରାହିତ୍ରାହି ଡାକିଲେ ତ ଈଶ୍ବର ଏବେ ବର୍ଷାକୁ ପଠେଇଲେ। ବର୍ଷା ଆସି ଅମୃତ ଢାଳିଲା। ପ୍ରାଣୀ ଓ ଉଦ୍ଭିଦ ଖୁସିରେ ନାଚିଲେ। ଦେଖୁଦେଖୁ ଚାରିଆଡେ଼ ସବୁଜ ସୁନ୍ଦର ହେଲା। ଯେତେ ଜୋରରେ ଖରା ଓ ପବନର ମାଡ଼ ହୋଇଥିଲା ସେତେ ଜୋରରେ ବର୍ଷାର ମାଡ଼ ହେଲା ତ ଖରା ଆଖିରେ ଆନନ୍ଦର ଲୁହ ବୋହିଗଲା। ସେ ବର୍ଷାକୁ ଶତକୋଟି ଧନ୍ଯବାଦ ଦେଇ ବିଦାୟ ନେଲା। ଖରା ଚାଲିଗଲା ବେଳେ ବର୍ଷା କହିଲା,”ଭଉଣୀ ! ତୁମ ପରି ମୁଁ ବି କଷ୍ଟ ପାଇବି। ଦେଖ ମୋତେ ପବନ ସାହାଯ୍ଯ କଲେ ତ ଧରାରେ ବାତ୍ଯା ଓ ବନ୍ଯା ହେଲାଣି। ଏବେ ସେହି ପ୍ରାଣୀ ଓ ଉଦ୍ଭିଦ ବି ତ୍ରାହିତ୍ରାହି ଡାକୁଛନ୍ତି। ଏଥର ଖରାର ଚୈତନ୍ଯ ଉଦୟ ହେଲା। ସେମାନେ ଯାହା କରୁଛନ୍ତି ଉଭୟ ଭଲ ଭିତରେ ମନ୍ଦ ହିଁ ନିହିତ। ଭଲ ଓ ମନ୍ଦ ନ ରହିବ ତ ସଂସାର ସଂସାର ହିଁ ନୁହେଁ। ତା’ ଆଖିରେ ଆନନ୍ଦର ଝର। ସେ ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେଲା।

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?