Sahitya Jibana

Portal on odia literature

ଆମ ସଂସ୍କୃତି ଆଉ ଦର୍ଶନ ହିଁ ମୃତସଂଜୀବନୀ – ନିଶୀଥ୍ ଚକ୍ରବର୍ତ୍ତୀ

1 min read
photo lavender flower field under pink sky

Photo by David Bartus on Pexels.com

ଆମେ କିଏ ? ଯଦିଓ ଏହି ପ୍ରଶ୍ନ ଆକାର ରେ ଖୁବ୍ କ୍ଷୁଦ୍ର ଆଉ ସାଧାରଣ ଜନମାନସ ରେ ସେପରି ଓଜନଦାର ପ୍ରଶ୍ନ ନୁହେଁ ତେବେ ଏହି ପ୍ରଶ୍ନ ଭିତରେ ବହୁତ କିଛି ଗୂଢତତ୍ତ୍ୱ ଆଉ ଜୀବନ ରକ୍ଷା ର ମୃତସଂଜୀବନୀ ଲୁଚି ରହିଛି । ଏହି ପ୍ରଶ୍ନ ର ଉତ୍ତର ଅନୁସନ୍ଧାନ କରିବାକୁ ଯାଇ ଚାଲନ୍ତୁ ଆମେ ତର୍ଜମା କରିବା କିଛି ଗୁରୁତ୍ୱପୂର୍ଣ୍ଣ ଭାରତୀୟ ଦର୍ଶନ ଆଉ ସଂସ୍କୃତି , ସେଠାରୁ ହୁଏତ ଆମେ ପାଇପାରିବା ଆମେ ଉଗ୍ର ପାଶ୍ଚାତ୍ୟତା ପଛରେ ପଡ଼ି ଜୀବନ ପାଇଁ ଛାଡିଆସିଥିବା କିଛି ସଂଜୀବନୀ ଜଡ଼ିବୁଟି ।
ଏବେ ୨୦୨୧ ମସିହା ରେ ଆମେ ସମୟ ସହ ଖାପଖୁଆଇ ଦୌଡି ନିଜକୁ ଆମ କହିବା ଭାଷା ରେ ବହୁତ ଉନ୍ନତ କରିସାରିଲୁଣି । ଆମ ସମସ୍ତ ଙ୍କ ହାତରେ ଏବେ ଖଣ୍ଡେ ଖଣ୍ଡେ ଆନଡ୍ରଏଡ ସ୍ମାର୍ଟ ଫୋନ୍ ,ଟ୍ୟାବ ଆଉ ଲାପଟପ ରହିଛି । ଜଗତୀକରଣ ର ପ୍ରଭାବ ରେ ସାରା ପୃଥିବୀ ଏବେ ଆମ ହାତମୁଠା ରେ । ଯେତେବେଳେ ଯାହା ଚାହିଁଲୁ ଦେଖିଲୁ ଆଉ ଖବର ବି ଗୋଟେଇ ଚାଲିଲୁ । ଏସବୁ ଭିତରେ କଣ ଆପଣଙ୍କର ମନେ ହେଉ ନାହିଁ କି ଅାପଣ ଆମ ଭାରତୀୟ ସଂସ୍କୃତି ଆଉ ଦର୍ଶନ ରୁ ଟିକେ ବାଟକାଟି ଆସିଛନ୍ତି !
ଆପଣଙ୍କ ଜ୍ଞାତ ରେ ଏତେ ବିଦ୍ୟା ଥାଇ ଆପଣ କଣ ଚିନ୍ତା କରୁନାହାନ୍ତି କି ଏ ଚଳନ୍ତି ବିଭୀଷିକା ଆଉ କରୁଣକାଳ ର ନିଦାନ ଆମ ଦର୍ଶନ ଆଉ ସଂସ୍କୃତି ରେ ଲୁଚି ରହିଛି !
ରାମାୟଣ ଅବା ମହାଭାରତ କୁ ଯଦି ନଜର କରିବେ , କିଛିଟା କଥା ହୁଏତ ସାମ୍ନା କୁ ଆସିବ ; ସେତେବେଳେ ଗୁରୁକୁଳ ପଦ୍ଧତି ରେ ଶିକ୍ଷାଦାନ କରାଯାଉଥିଲା ଆଉ ତାହାର ଏକ ମୁଖ୍ୟ ଅଂଶ ଥିଲା ‘ ଚାରା ରୋପଣ ବା ଗଛ ଲଗେଇବା ‘ , ଗୁରୁକୁଳ ରେ ପଢୁଥିବା ସମସ୍ତ ରାଜକୁମାର କ୍ଷତ୍ରିୟ ମାନଙ୍କ ସହ ସମସ୍ତେ ସବୁଦିନେ ଗଛ ଲଗେଇବା , ଗଛ ରେ ପାଣିଦେବା, ବନ ସୃଷ୍ଟିକରିବା , ଉତ୍ତିଦଜାତ ଦ୍ରବ୍ୟ ର ବ୍ୟାପକ ବ୍ୟବହାର , ପ୍ରକୃତି ସହ ମିତ୍ରତା , ଔଷଧିୟ ବୃକ୍ଷ ରୋପଣ କରିବା ତାହାର ଗୁଣାବଳୀ ଜାଣିବା ଏବଂ ସଠିକ୍ ସମୟ ରେ କିପରି ତାହାର ବ୍ୟବହାର ହୁଏ ତାହା ଗୁରୁଙ୍କ ଠାରୁ ଶିଖିବା ଆଦି ବିଦ୍ୟା କୌଶଳ ସେମାନେ ଜାଣିଥିଲେ । ଗଛ ହିଁ ଶୁଦ୍ଧ ଅମ୍ଳଜାନ ପ୍ରଦାନ କରେ । ସୁତରାଂ ଏହ ଅମ୍ଳଜାନ ର ପ୍ରାକୃତିକ ଉତ୍ସ ।
କିନ୍ତୁ ଏବେ ନା ଅଛି ସେ ଗୁରୁକୁଳ ନା ସେ ପରମ୍ପରା ! କାଁଭାଁ କିଏ ସହୃଦୟେ ଲଗେଇଲେ ଲଗଉଛନ୍ତି । ଧୀରେଧୀରେ ଆମେ ଚାଷବିଲ କୁ ଘରକରିବା ପାଇଁ କିଣି ସେଠାରେ ଘର କରିରହୁଛୁ , ଆମ ସ୍ୱାର୍ଥ ପାଇଁ ଆମେ ଗଛ କାଟି ଦେଉଛୁ । ତେବେ ଏହାର ପରିଣାମ ଅାମ ଛଡା କିଏ ଭୋଗ କରିବ ! ଯେସା କର୍ମ ତେସା ଫଳ ଅଛି ନା !
ପୁଣି ସେହି ପୁରାଣ ଦର୍ଶନ ର ଗୁରୁକୁଳ ଶିକ୍ଷାପଦ୍ଧତି କୁ ଆସୁଛି । ସେତେବେଳେ ଗୁରୁକୁଳ ରେ ଶିକ୍ଷାଦାନ କରାଗଲାବେଳେ ଗୁରୁ ମାନେ ଶିଷ୍ୟ ମାନଙ୍କୁ ପରସ୍ପର ଠାରୁ ଏକ ସୁସ୍ଥ ନିୟମିତ ଦୂରତ୍ୱ ବଜାୟ ରଖି ବସି ପାଠପଢିବାକୁ ଆଦେଶ କରୁଥିଲେ , ଏହା ଗୁରୁକୁଳ ର ନିୟମ ଥିଲା । କେହି ପାଖାପାଖି ବସୁନଥିଲେ , ଏବଂ ଅଧ୍ଯୟନ କରୁଥିଲେ । ସେହିପରି ଗୋଟେ ରାଜସଭା ଯେତେବେଳେ ଚାଲୁଥିଲା ରାଜା, ରାଜଗୁରୁ , ମନ୍ତ୍ରୀ , ସେନାପତି ତଥା ପାରିଷଦ ବର୍ଗ ସମସ୍ତେ ନିଜ ନିଜ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖୁଥିଲେ ତଥା ସମସ୍ତଙ୍କ ସିଂହାସନ ଆଉ ଆସନ ସମସ୍ତଙ୍କ ଠୁଁ ଏକ ଆପେକ୍ଷିକ ଦୂରତା ରେ ରହୁଥିଲା ଏବଂ ରାଜକାର୍ଯ୍ୟ ଚାଲୁଥିଲା । ତେବେ ଆପଣ କଣ ଭାବୁନାହାନ୍ତି କି ସାମାଜିକ ଦୂରତ୍ୱ ପ୍ରସଂଗ ଆମ ପୁରାଣ ର ଏକ ବ୍ୟବହାରିକ ଅଙ୍ଗ ! ଏହା ମଧ୍ୟ ତତ୍ ସମୟ ର ଗୁରୁକୁଳ ଶିକ୍ଷାଦାନ ର ବିଶେଷ ଶୃଙ୍ଖଳା ଓ ଅନୁଶାସନ , ଯାହାକି ଏବେ ଆମେ ନିଜ ଜୀବନ ବଞ୍ଚାଇବାକୁ ଯାଇ ତଥା କଟକଣା ଫାଇନ୍ କୁ ଡରି ମାନିବାକୁ ବାଧ୍ୟ , ଏହାତ ଆମର ମଙ୍ଗଳ ପାଇଁ ଏକ ପ୍ରଚଳିତ ବ୍ୟବସ୍ଥା ତେବେ ଏହାକୁ ମାନିବାକୁ ହିଁ ପଡ଼ିବ ।
ଏହାପରେ ଯଦି ଆମେ ବେଦାନ୍ତ ଦର୍ଶନ କୁ ଯିବା ସେଠାରୁ ପାଇବା ଆହୁରି ନିଗୂଢ ଜୀବନଦର୍ଶନ । ” ତତ୍ତ୍ୱମସି ସୋଽହଂ , ଅହଂ ବ୍ରହ୍ମାସ୍ମି ” ସୁତରାଂ ଏହି ଦର୍ଶନ କୁହେ ତୁମେ ହେଲ ବ୍ରହ୍ମ , ତୁମେ ନିଜେ ବ୍ରହ୍ମତତ୍ତ୍ୱ ର ସଂଚାରକ । ତୁମ ଠାରେ ବ୍ରହ୍ମ ଅଛି ।
ଯଦି ମୁଁ ବ୍ରହ୍ମ ମୋ ଶରୀର ରେ ବ୍ରହ୍ମ ବିଦ୍ୟମାନ ତେବେ ମୋର କର୍ମ ମଧ୍ୟ ବ୍ରହ୍ମମୟ ହେବା ଉଚିତ୍ ନଚେତ୍ ମୋର ପତନ ଅବଶ୍ୟମ୍ଭାବୀ । ଆମ ବେଦାନ୍ତ ଦର୍ଶନ କୁହେ ସବୁ ମଣିଷ ଠାରେ ବ୍ରହ୍ମ ବିଦ୍ୟମାନ । ଯେଉଁକଥା କି ସ୍ୱାମୀ ବିବେକାନନ୍ଦ ବାରମ୍ବାର ଲୋକ ମାନଙ୍କୁ ବୁଝାଉଥିଲେ ; ବ୍ରହ୍ମଚର୍ଯ୍ୟ ର ପାଳନ । ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ , ର‍ାତ୍ରି ରେ ଅଳ୍ପାହର , ରାତି ରେ ଶୀଘ୍ର ଶୋଇବା , ଶାକାହାରୀ ହେବା , ଗାଧୋଇ ସୂର୍ଯ୍ୟ ନମସ୍କାର କରିବା ( ସୂର୍ଯ୍ୟ ସକଳ ଶକ୍ତି ର ଆଧାର ) ; ତେବେ ହୁଏତ କର୍ମ ବ୍ୟସ୍ତତା ଅବା ଅଭ୍ୟାସଗତ ଦୋଷ ରୁ ଆମେ ସେସବୁରୁ ଏବେ ଅନତିକ୍ରମ୍ୟ ଦୂର ରେ । ତେବେ ଆମ ମାନଙ୍କର ଏହି ବଦଅଭ୍ୟାସ ମାନବ ସମାଜ ଧ୍ୱଂସାଭିମୁଖୀ ହେବାର ଅନ୍ୟ ଏକ କାରଣ । ଆମେ ତ ବ୍ରହ୍ମ ର ଯତ୍ନ କରୁନାହୁଁ ତାହାର ଅଣଦେଖା ସହ ବ୍ରହ୍ମରକ୍ଷା କରୁନାହୁଁ ତେବେ ଏହ‍ାର ପରିଣାମ କିଏ ଭୋଗ କରିବ !
ଥରେ ଆମେରିକା ରେ ଜଣେ ବିଦେଶୀ ସ୍ୱାମୀ ବିବେକାନନ୍ଦ ଙ୍କ ସହ କରମର୍ଦ୍ଦନ ଆଉ ଆଲିଙ୍ଗନ କରିବାକୁ ଆସିଲେ ,ମାତ୍ର ସ୍ୱାମୀଜୀ ଏହା ନକରି ତାଙ୍କୁ କରଯୋଡି ବିନମ୍ର ପ୍ରଣାମ କରିଲେ । ଏହାପରେ ସେ ବିଦେଶୀ ଜଣକ ସ୍ୱାମୀଜୀ ଙ୍କୁ ପ୍ରଶ୍ନ କରିଲେ ଆପଣ ଭାରତୀୟ ମାନେ ଆଧୁନିକ ବ୍ୟବାହାରିକ ଚଳଣି ଅଭ୍ୟାସ ରେ ଏତେ ସଂକୋଚ କଣ ପାଇଁ ? ସ୍ୱାମୀ ବିବେକାନନ୍ଦ ତାଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କହିଥିଲେ ଆପଣଙ୍କ ସଂସ୍କୃତି ରେ କରମର୍ଦ୍ଦନ ଆଉ ଆଲିଙ୍ଗନ ଏକ ଉଚ୍ଚଶ୍ରେଣୀ ର ଆଧୁନିକ ଚଳଣି କିନ୍ତୁ ଆମେ ସଂସ୍କୃତି ରେ ନମସ୍କାର ଆଉ ପ୍ରତିନମସ୍କାର ଏକ ଉଚ୍ଚଶ୍ରେଣୀ ର ବ୍ୟବହାରିକ ଚଳଣି ।
ତେବେ ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ; ହାତ ମିଳେଇବା ଆଉ ଆଲିଙ୍ଗନ କରିବ ଆଦି ପାଶ୍ଚାତ୍ୟ ସଂସ୍କୃତି କିନ୍ତୁ ଆମର ସଂସ୍କୃତି ର ଭିନ୍ନତା ହେଲା ନସସ୍କାର କରିବା ଯାହାକି ବ୍ୟବହାରିକ କ୍ଷେତ୍ର ରେ ସ୍ୱତନ୍ତ୍ର ଆଉ ଏବେ ବିଜ୍ଞାନ ସମ୍ମତ ( ଦୂର ରୁ ରହି ନମସ୍କାର କରିବା, କାହାକୁ ଛୁଇଁଵା ନାହିଁ ) ।
ଏହି ସଂସ୍କୃତି ଆଉ ଦର୍ଶନ ସବୁ ବୋଧ ହୁଏ ଏବେ ଆମର ମୃତସଂଜୀବନୀ ସାଜିଛି । ଯାହାକୁ ଆମେ ଭୁଲି ଯାଇ ଉଗ୍ର ଆଧୁନିକତା ର ନାଆ ର ବସିଛୁ , ସେ ନାଆ ର ନିଜ ନାଉରିଆ ମାନେ ବି ଏବେ ଆମେ ସଂସ୍କୃତି ଆଉ ଦର୍ଶନ କୁ ଅନୁକରଣ କରୁଛନ୍ତି ଆଉ ଓଲଟ ଆମେ ଏବେ ଆମ ଦର୍ଶନ କୁ ସେମାନଙ୍କ ଠାରୁ ଶିଖୁଛୁ, ଏମିତି ଲାଗୁଛି ସତେ ଯେମିତି ପୂର୍ବପାଠ ଆମେ ଭୁଲିଯାଇଛେ ଆଉ ପରୀକ୍ଷା ଡର ରେ ପାଖ ଭଲ ପିଲା ଠାରୁ ପୁଣି ଦେଖିଶିଖି ପଢିବା ଲେଖିବା ଆରମ୍ଭ କରିଛେ ।
ତେଣୁ ହେ ପ୍ରିୟ ସନାତନୀ ଗଣ , ଆସ ଏବେ ବି ହାତରେ କିଛି ସମୟ ଅଛି , ପୁଣିଥରେ ଆମେ ଆମ ସଂସ୍କୃତି କୁ ମନେପକାଇବା , ପୁଣି ଆମ ଦର୍ଶନ ର ମର୍ମ କୁ ବୁଝିବା , ସମସ୍ତେ ଗଛଲଗାଇ ବନୀକରଣ କରିବାର ଶପଥ ନେବା , ଆମ ବେଦ ବେଦାନ୍ତ ଉପନିଷଦ ରେ ଆମ ଜୀବନ ର ବଞ୍ଚିବା ଶୈଳୀ ଲୁକ୍କାୟିତ ହେଇ ଅଛି ତାକୁ ଖୋଜିବା ଯାହାକି ଆମ ପୂର୍ବପୁରୁଷ ମାନଙ୍କର ଆମକୁ ବରଦାନ ।
ଆମେ କିଏ ? ଉତ୍ତର ବେ‍ାଧହୁଏ ମିଳିଗଲା …………

ନିଶୀଥ୍ ଚକ୍ରବର୍ତ୍ତୀ
କାହ୍ନାଇ ଭବନ , କେନ୍ଦ୍ରାପଡ଼ା

Copyright © Sahitya Jibana | Newsphere by AF themes.
Open chat
Hello
How can you help we?