Sahitya Jibana

Portal on odia literature

ଟିକି ଚଢ଼େଇ ର ଦୁଃଖ – ସୁକାନ୍ତ ଖଣ୍ଡା

1 min read

ଟିକି ଚଢେ଼ଇଟିର ବାପା ଓ ମାଆ କୁଆଡେ଼ ହଜିଗଲେ। ଖଣ୍ଡିଉଡା ହେଉଥିବା ଟିକି ଚଢେ଼ଇଟି ଖାଇବା ଓ ପିଇବାକୁ ଭାରି କଷ୍ଟ ଅନୁଭବ କଲା। ସେ ଆଉ ବାପା ଓ ମାଆଙ୍କୁ ପାଇବା ଅସମ୍ଭବ ମଣି ନିଜେ ଉଡି଼ବା ଭଲକି ଶିଖିଲା। ସେ ଉଡୁଉଡୁ ଉଡି଼ ପାରିଲା ତ ଦୂର ଆକାଶକୁ ଯିବାକୁ ମନ କଲା। ସେ ଖାଇବା ଓ ପିଇବାର ସନ୍ଧାନ ନେଲା। ହେଲେ ଗୋଟିଏ ସାପ ତାକୁ ପିଛା କଲା। ଖଣ୍ଡିଉଡା଼ ଟିକି ଚଢେଇଟି କରେ କ’ଣ? ନିଜକୁ ବଞ୍ଚାଇବାକୁ ବହୁ ଚେଷ୍ଟା କଲା ଓ ଲୁଚିବାକୁ ଚାହିଁଲା।
ଦିନେ ଟିକି ଚଢେ଼ଇଟି ପାଣି ଟୋପାଏ ପାଇଁ ଡହଳ ବିକଳ ହେଲା। ସେ ଉଡି଼ଉଡି଼ ଦୂର ସ୍ଥାନରେ ଏକ ଜଳାଶୟ ଦେଖି ପାଇଲା ହେଲେ ପାଣି ପିଇବାକୁ ଓହ୍ଲାଇବାକୁ ଯାଆନ୍ତେ ସେଇ ସାପକୁ ଦେଖି ପାରିଲା। ପାଣି ପିଇ ବଞ୍ଚିବ ନା ସାପ କବଳରୁ ବଞ୍ଚିବ? ଏହି ମନୋଭାବ ହୃଦୟରେ ଥୋଇ ସେ ସେଠାରୁ ଫେରି ଚାଲିଗଲା। ଉଡି଼ଉଡି଼ ଆସି ଗୋଟିଏ ଝଙ୍କାଳିଆ ବରଗଛ ଡାଳରେ ବସିଲା। ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେଇ ବସୁବସୁ ନିଘୋଡ଼ ନିଦରେ ଶୋଇ ପଡି଼ଲା।
ସେ ଶୋଇ ପଡି଼ଥିବା ଅବସ୍ଥାରେ ସାପଟି ଆସି ତାକୁ ଧରି ପକେଇଲା। ଟିକି ଚଢେଇଟି ନେହୁରା ହୋଇ କହିଲା,”ଭାଇ ! ମୋତେ ଶୋଷର ଦାଉରୁ ଏ ଦେହର ରକ୍ତ ଶୁଖିଲା ହୋଇ ଯାଇଛି। କୃପାକରି ପାଣି ଟୋପାଏ ପିଇବାକୁ ଦିଅନ୍ତୁ। ମୋ’ର ଦେହ ତାଜା ହୋଇଗଲେ ଖାଇନେବ।” ଏ କଥା ସାପର ମନକୁ ପାଇଲା ସେ ସଙ୍ଗେସଙ୍ଗେ ତାକୁ ଛାଡି଼ ଦିଆନ୍ତେ ତ ଟିକି ଚଢେ଼ଇଟି ଧନ୍ଯବାଦ ଦେଉଦେଉ ତା’ ଆଖି ଦୁଇଟାକୁ ଫୁଟାଇ ଦେଲା। ଏବେ ସାପ କରିବ କ’ଣ? କିଛି ବି ଦେଖି ତ ପାରିଲା ନାହିଁ। ଖାଇବା ପିଇବା ବିନା ଦିନେ ମରିଗଲା ବେଳେ ଭାବିଲା। ନିଜର ଖାଦ୍ଯକୁ ବୋକାମୀ ଦ୍ବାରା ତ ହରେଇଲି ଆଉ ଏବେ କଷ୍ଟକୁ ସହି ନ ପାରି ମରିବାକୁ ହେବ।
ଟିକି ଚଢେ଼ଇ ଦୂରରେ ଥାଇ ଭାବୁଥିଲା। ନିଜେ ସଂଗ୍ରାମ କରି ବଞ୍ଚିବାକୁ ଚାହୁଁଥିଲା। ସେ ସାପର କୌଣସି ଅନିଷ୍ଟ କରିବାକୁ ଚାହୁଁ ନ ଥିଲା ହେଲେ ପ୍ରତି ଆକ୍ରମଣ କରିବାକୁ ବାଧ୍ଯ ହେଲା। ଟିକି ଚଢେ଼ଇର ଆଖିରେ ଲୁହ। ସେ ନିଜ ସାମ୍ନାରେ ସାପର ମୃତ୍ଯୁଦେଖି ସହି ପାରିଲା ନାହିଁ। ଈଶ୍ବରଙ୍କୁ ଆକୁଳ ନିବେଦନ କଲା କି ହେ ଈଶ୍ବର ସାପର ଆତ୍ମାକୁ ମୁକ୍ତି ଦିଅନ୍ତୁ।
ଟିକି ଚଢେ଼ଇ ଦୁଃଖର ଲୁହରେ ଭାସି ଯାଉଥିଲା। ଅନାଥ ହୋଇ ଥିବାରୁ ଯାହା କଷ୍ଟ ପୁଣି ବଞ୍ଚିବା ପାଇଁ ଆହୁରି କଷ୍ଟ ବଢି଼ ଯାଉଥିବା ବେଳେ ସାପର ଜୀବନ ନେଇ ଯିବାରୁ ଆହୁରି ପାପ ଓ କଷ୍ଟକୁ ଆବୋରି ନେଲା।
ତା’ ଆଖିରେ ଲୁହର ଝର।

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
ଇ-ମେଲ୍ :
khandasukanta@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?