ହେ ମୋର ପ୍ରିୟ ଜନେ – ମଧୁସ୍ମିତା ପାଲଟାସିଂହଁ
1 min read
ବଞ୍ଚିବି ବଞ୍ଚିବି ବଂଚି ମୁଁ ରହିବି ଜୀବନ ର ସ୍ୱାଦ ଚାଖିବା ପାଇଁ।
ହେ ମୋର ପ୍ରିୟ ଜନେ!
ଅତି ଆପଣାର ଯାହାଙ୍କୁ ଭାବିଥିଲି ମନେ,
ସ୍ନେହ ବୋଳା କଥା କେତେ ଯେ କହିଲ
ମୁଣ୍ଡକୁ ଆଉଁସି ପୁଣି ପିଠିକୁ ମାରିଲ।
ଭାବିଥିଲ ହାରିଯିବି, ଟଳିଯିବି,
ତୁମର କପଟତା ଜାଣିନପାରିବି।
ତୁମ ଛୁରମାଡ଼ କରିଛି କେତେ ଯେ କ୍ଷତାକ୍ତ
ହୋଇଛି ମୁଁ ଖଣ୍ଡବିଖଣ୍ଡିତ,
ହେଲେ ତୁମେ କି ଜାଣିବ,ତୁମ ଅଜାଣତେ,
ତୁମର ଆଘାତ କରିଛି ମତେ,
କେତେ ଶକ୍ତ,କେତେ ଶାଣିତ।
ଭାଙ୍ଗିବା ପାଈଁ କରିଥିଲ ଯେଉଁ ଶକ୍ତ ପ୍ରହାର,
କୋମଳ ହୃଦୟ ମୋ ଭାଂଗିଲାନୀ ହେଲା ଆହୁରି କଠୋର।
ହେ ମୋର ପ୍ରିୟ ଜନେ!
ତୁମକୁ ଅଶେଷ ଧନ୍ୟବାଦ,
ଶିଖାଇ ଦେଇଛ ମତେ କରିବାକୁ ପ୍ରତିବାଦ।
ଚଖେଇ ଦେଇଛ ଏତେ ଲୁହର ମଜା,
ହସିବା କୁ ଆଉ ନାହିଁ ମୋ ଇଚ୍ଛା।
ଏତେ ବି ଦୁର୍ବଳ ମସ୍ତିଷ୍କ ନୁହେଁ ଏ ତୁମ କଥାକୁ ସେ ଯିବ ଡରି,
ମିଥ୍ୟା ପ୍ରରୋଚନା ବୃଥା ଆଳାପେ ଯିବନି କେବେ ସେ ହାରି।
ଚାଲିବାର ପଣ କରିଛି ଏ ପଥେ,
ତୁମର ପ୍ରଳାପ ବାଧା ଦେବନି ମୋତେ।
ମଣିଷ ଚିହ୍ନିବା ଶିଖାଇ ଦେଇଛ ଯେବେ ,
ଏ ରାସ୍ତାରେ ଚାଲିବା ଛାଡ଼ିଦେବିକି କେବେ?
ଜୀବନ ରାସ୍ତା କୁ ତନ୍ନ ତନ୍ନ କରି ଦେଇଛ ଚିହ୍ନାଇ,
ହେ ପ୍ରଭୁ!ବଞ୍ଚାଇ ରଖିବ ମତେ,ବଂଚି ମୁ ରହିବି
ଜୀବନର ସ୍ୱାଦ ଚାଖିବା ପାଇଁ।
ମଧୁସ୍ମିତା ପାଲଟାସିଂହଁ
ଜାଗୁଳି ପାଟଣା, ଖୋର୍ଦ୍ଧା
ଇ-ମେଲ୍ :
majhimadhusmita@gmail.com