Sahitya Jibana

Portal on odia literature

ଶ୍ରୀ କ୍ଷେତ୍ର ପାହାଚ ମୁଁ – ଶକୁନ୍ତଳା ମହାପାତ୍ର

1 min read

ଓଂକାର ବେଦ ଧ୍ୱନିରେ
ଚକ୍ଷୁ ହୁଏ ଉନ୍ମୋଚିତ ଆଉ ମୁଦିତ
କାହିଁ କେତେ କାଳରୁ
କେଉଁ ଏକ ଶୁଭଲଗ୍ନରେ
ଗଢା ମୋ କାୟ
ନାହିଁ ଅନୁଶୋଚନା କି ଅଶାନ୍ତି
ଏ ଶାସ୍ଵତ ଶାନ୍ତି ||
ସଭ୍ୟ ସମାଜର ଗାରିମା
ମୋତେ ସ୍ପର୍ଶ କରିନି
କେତେ ସାଧୁସନ୍ଥଙ୍କ ପଦଧୂଳି
ଦେଇଛି ପବିତ୍ରତା
ମହୋଦଧିର ଶୀତଳ ସମୀର
ଆଉ ନିର୍ମାଲ୍ୟ ମହକେ
ମୁଁ ତୃପ୍ତ ||
ଶ୍ଵାସରୁଦ୍ଧ ସଂକୀର୍ଣ୍ଣ ବଳୟ
ତଥାପି ମୁଁ ସ୍ଵାଧୀନ
ସ୍ଵାର୍ଥ ପ୍ରବଞ୍ଜନାରୁ ବହୁ ଦୂରେ
ଭିନ୍ନ ଭିନ୍ନ ବାସ୍ନାର ପାଦ
ଆଘ୍ରାଣ କରେ ମୋ ବକ୍ଷ
ହେଉ ନରରୂପୀ ରାକ୍ଷସ ଅବା
ଅଭିଶପ୍ତ ଗନ୍ଧର୍ବ ||
ପଂକ୍ତି ହେଉ ବା ସ୍ତମ୍ଭ
ମୋ ପରିବାରେ ନାହିଁ
ମାନ କି ମତାନ୍ତର
ସୌଭାଗ୍ୟର ଫଳ ସ୍ୱରୂପ
ପ୍ରଭୁଙ୍କ ଦର୍ଶନ ଆଗରୁ
ଭକ୍ତର ମଥା ନଇଁଆସେ
ମୋ ଆଡକୁ ||
ବାସ୍ନାଭିଜା ମୂହୁର୍ତ୍ତକୁ
ପରମ ଆଲ୍ହାଦେ
ଦେବଦାସୀ ପରି ଗ୍ରହଣ କରେ
ଢୁ ଢୁ ବର୍ଷା ,କି ! ନିଦାଘ ଖରା ଅବା
ଶିଶିରସ୍ନାତା କୁହୁଡି
ତଥାପି ଅପେକ୍ଷାରତ ଭକ୍ତର
ଚରଣ ସ୍ପର୍ଶ ପାଇଁ ||
ସଦ୍ ଚିନ୍ତନ ମନନ
ଧୌର୍ଯ୍ୟ ଓ ସହନଶୀଳତାର
ବାର୍ତ୍ତା ବହନ କରେ ମୁଁ
ନିସ୍ତବ୍ଧ ରାତ୍ରିରେ
କାହାର ସାନ୍ନିଧ୍ୟରେ
କେମିତି ଏକ ଶିହରଣ
ସ୍ଵର୍ଗୀୟ ସୁଖର ସମ୍ଭାବନା ସୃଷ୍ଟି କରେ ||

ଶକୁନ୍ତଳା ମହାପାତ୍ର
ଖଣ୍ଡପଡା, ବଜ଼ାର ସାହି
ନୟାଗଡ