Sahitya Jibana

Portal on odia literature

ମୃତ୍ୟୁ ହେ ତୁମେ କାହିଁକି ଆସ – ଶକୁନ୍ତଳା ମହାପାତ୍ର

1 min read

ମୃତ୍ୟୁ ହେ ତୁମେ
କାହିଁକି ଆସ ?
କରାଳ ରୂପ ଧରି ,
ତୁମେ ନ ଥିଲେ
ସଂସାର ହସନ୍ତା
ଖିଲି ଖିଲି ନାଦ କରି |
ଚାତକ ପରି
ଚାହିଁ ରହିଥାଅ
ଧବଳ ତୁମର ଦେହ ,
ଦୁନିଆଁ ବୁକୁରେ
ଶ୍ରେଷ୍ଠ ମୁକୁତତ୍ୱ
ପାଇଛ କି ତୁମ୍ଭେ କୁହ ?
ଭାଇ ବନ୍ଧୁ ପ୍ରୀତି
ସ୍ନେହ ପ୍ରେମ ନୀତି
ସବୁ ତୁମଠାରେ ତୁଚ୍ଛ ,
ସତେ ଅବା ଏଇ
ପାର୍ଥିବ ପୃଷ୍ଠରେ
ତୁମେ ହିଁ ପୋତିଛ ଗଛ |
ପାଚୁ ଅବା କଞ୍ଚା
ଖଟା ଅବା ମିଠା
ନାହିଁ ଭୃକ୍ଷେପ ତିଳେ ,
ତୁମ୍ଭ ସ୍ପର୍ଶରେ
ଶ୍ରୀହୀନ ସଂସାର
ଲୋତକ କିଏ ନ ଢାଳେ |
ଗର୍ବ ଅହମିକା
ଚୁନା କରିଦିଅ
ନିମିଷକେ ଲୁଟି ନିଅ ,
ତୁମ୍ଭକୁ ଚିଂତିଲେ
ଭାବିଲେ, ସ୍ମରିଲେ
ହୃଦୟରୁ ଉଠେ କୋହ |
ସବୁ ପରେ ବି
ତୁମେ ଅଛ ବୋଲି
ଧରଣୀର ପରିସୀମା,
କମୁଛି ଯେତିକି
ବଢୁଛି ସେତିକି
ହେଉନି ଅଧିକ ଉଣା |
ଅଭିଶାପ ଅବା
ଆଶୀର୍ବାଦ ଥାଉ
ହେଉ ସ୍ଵର୍ଗ କି ମର୍ତ୍ତ୍ୟ ,
ଜୀବନ ଅଛି ତ
ଗୁନ୍ଥି ହୋଇଥାଅ
ତୁମେ ହିଁ ତ ଧ୍ରୁବ ସତ୍ୟ |

ଶକୁନ୍ତଳା ମହାପାତ୍ର
ଖଣ୍ଡପଡ଼ା, ବଜ଼ାର ସାହି
ନୟାଗଡ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?