Sahitya Jibana

Portal on odia literature

କୁନା ହେଲା ଦିନେ ସୁନା ପିଲା – ବିଜୟ କୁମାର ଘଡେ଼ଇ

1 min read

କୁନି କହୁଥିଲା ମୋ କୁନା ଭାଇ
ଚାଲ ଯିବା ଆମେ ବସ୍ତାନି ନେଇ
ବିଦ୍ୟାଳୟେ ପାଠ ପଢିବା ପାଇଁ
ନ ହେଲେ ଗୁରୁଙ୍କୁ କହିବି ଯାଇ ।।

କୁନା କହିଲା ଯେ ମୁଁ ଯିବି ନାହିଁ
ଘରେ ରହି ପାଠ ଶିଖିବି ମୁଁହି
ବାପା ମାଆ କଥା ମାନିବି ରହି
ନ ହେଲେ ପିଟିବି ରହିଥା ଚାହିଁ ।।

ମିଛରେ ବାହାନା ଆଉ ନ କର
ନ ହେଲେ ଭବିଷ୍ୟ ହେବ ଅନ୍ଧାର
ଗୁରୁ ଅଟନ୍ତି ଯେ ଜ୍ଞାନ ସାଗର
ଗ୍ରହଣ କର ତୁ କରି ଆଦର ।।

କୁନା ପଚାରିଲା କୁନି ଭଉଣୀ
ତୁ କାଇଁ ମାରୁ ଏତେ ଫୁଟାଣି
ମୋ ସାଥେ ଲାଗୁଛୁ କି ପାଇଁ ଜାଣି
ରହ ମୁଁ ଭାଙ୍ଗୁଛି ତୋର ଏ ଠାଣି ।।

ବାପା ଶୁଣିକରି ଦୁହିଁଙ୍କ କଥା
ମୁଚୁକି ହସିଲେ ନଇଁକି ମଥା
ବିଦ୍ୟା ଅଟେ ମହାଧନ ଜାଣି ଥା
ଗ୍ରହଣ ନ କଲେ ଜୀବନ ବୃଥା ।।

ଶୁଣ କୁନି ମୋର ଶୁଣୁ ମୋ କୁନା
ସ୍କୁଲ୍ ଯିବାକୁ ତୁ କର ନା ମନା
ଖାଇବାକୁ ଦେବି ମଟର ଚଣା
ତୁ ପରା ମୋର କାଳିଆ ସୁନା ।।

କୁନା ଭାଇ ଏବେ ବୁଝିପାରିଲା
ପଢିବାକୁ ପାଠ ବାହାରିଗଲା
ଗୁରୁଜୀଙ୍କ କଥା ସବୁ ମାନିଲା
ସଭିଙ୍କର ହେଲା ସେ ଭାରି ଗେଲ୍ହା ।।

ମନ ଲଗେଇ ସେ ପାଠ ପଢିଲା
ସୁନା ପିଲା ହେଲା ଥିଲା ଚଗଲା
ବଡ଼ ହେଲା ଦିନେ ସେ ସୁନା ପିଲା
ବାପା ମାଅଙ୍କର ନାମ ରଖିଲା ।

ପାଇଲା ସବୁଠି ମାନ ସମ୍ମାନ
ପିତାମାତା ହେଲେ ତା ପାଇଁ ଧନ୍ୟ
ବୁଝିଲା ଯେବେ ସେ ଜ୍ଞାନର ମାନ
ସଭିଙ୍କୁ କହିଲା କର ଅର୍ଜନ ।।

ଜୀବନ ହୁଏ ଯେ ଭାରି ସରସ
ଅରଜିଲେ ଜ୍ଞାନ ଜୀବନଯାକ
ବିଦ୍ୟାରୁ ମିଳେ ଯେ ବିନୟଭାବ
ଯା ପାଇଁ ରହେନା କିଛି ଅଭାବ
ଚାଲ ଆମେ ସବୁ ପଢିବା ପାଠ ।।
————————–
ବିଜୟ କୁମାର ଘଡେ଼ଇ
ଔପଦା,ବାଲେଶ୍ୱର