Sahitya Jibana

Portal on odia literature

ନବ ଉତ୍କଳ ନିର୍ମାତା – ଅଜିତ କୁମାର ତ୍ରିପାଠୀ

1 min read

(ଉତ୍କଳ ଗୌରବଯୋଗଜନ୍ମା ମଧୁ ବାବୁ)
(ଅନନ୍ୟା କବିତା ପେନ୍ଥା)

ମଧୁ ବାବୁ ତୁମେ, ମାଧବ ରୂପରେ,
ଜନମି ଥିଲ ଉତ୍କଳରେ ।
ସତ୍ୟ ଭାମାପୂର, ସମ୍ଭ୍ରାନ୍ତ କୁଳରେ,
ଚୌଧୁରୀ ଜମିଦାର ଘରେ ॥୧॥
ଅଠର ଶହ, ଅଠ ଚାଳିଶ ସାଲ
ଅଠେଇଶଏପରିଲରେ ।
ପିତା ରଘୁନ୍ନାଥ, ମାଁପାର୍ବତୀ ଦେବୀ,
ପୁଣି ଧାର୍ମିକ ପରିବାରେ ॥୨॥

କର୍ମ ଭୂମି ପ୍ରିୟ, କଟକ ସହର,
ଶେଷ ନିଦ୍ରା ଗୋରାକବରେ ।
କର୍ତବ୍ୟ କରିଛ, କଳିଙ୍ଗ ପାଇଁକି,
କୀର୍ତ୍ତି କରି କାଳ କାଳରେ ॥୩॥
ଶ୍ରେଷ୍ଠ ଦେଶ ଭକ୍ତ, ସ୍ୱାଭିମାନୀ ଲୋକ,
ସୁଯୋଗ୍ୟ ସନ୍ତାନ ସତରେ ।
ଦୁଃଖୀ,ଦୀନ ଙ୍କର, ଦରଦୀ ଠାକୁର,
ଦୟା,ଦାନ,ଧର୍ମ,ସେବାରେ ॥୪॥

ଦୀନ,ହୀନଠାରେ, ଦେଇଛ ଅନେକ,
ଦାନିପଣେ ନାହିଁ ବିଶ୍ୱରେ ।
ଦମ୍ଭ ଦେଇ ଅଛ, ଦଳିତ ନିଃସ୍ୱରେ,
ଦୟା କରିଛ ନିରନ୍ତରେ ॥୫॥
ଆଜୀବନ ଦୁଃଖ, ଅଶାନ୍ତି,ଅଭାବ,
ଅନଟନ ଚିର ସହଚରେ ।
ଅଜାଡି ଦେଇଛ, ଅଯାଚିତ ଭାବେ,
ଅହରହ ଅସହାୟରେ ॥୬॥

ନବ ଉତ୍କଳର, ନିର୍ମାତା ତୁମେ ହେ,
ନବୀନ ଦଧିଚି ରୂପରେ ।
ନାହିଁ ଲୋଭ,ମୋହ, ନିର୍ମାୟା,ଉଦାର,
ନିରଳସ ଶ୍ରମ,ସେବାରେ ॥୭॥
ଓଡିଶା ମାଟିର, ଗର୍ବ,ଗଉରବ,
ଗାରିମା ରଖିଛ ବିଶ୍ୱରେ ।
ଖଣ୍ଡିତ ରାଜ୍ୟକୁ,ମଣ୍ଡିତ କରିଛ,
ଦାମ୍ଭିକ ବୀର ପଣିଆରେ ॥୮॥

ସୁଶୁପ୍ତ ସନ୍ତାନେ, ସତେଜ କରିଛ,
ସଶକ୍ତ ରଜ୍ଜୁ ବନ୍ଧନରେ ।
ଶାନ୍ତି,ମୈତ୍ରି,ପ୍ରୀତି,ଏକତା,ସଂହତି।,
ସ୍ୱନ୍ଦିତ କରି ସମାଜରେ ॥୯॥
ଭାଷା ଆନ୍ଦୋଳନ, ଭୀଷ୍ମ ପିତାମହ,
ଭଗ୍ନ ମାଟିକୁ ଜୋଡିବାରେ ।
ବିଚ୍ଛିନ୍ନାଞ୍ଚଳକୁ,ବୀର ପଣିଆରେ,
ବାନ୍ଧି ପାରିଲ ବାକ୍ୟ ଡୋରେ ॥୧୦॥

ବିରଳ ବ୍ୟକ୍ତିତ୍ୱ , ବଳିଷ୍ଠ ନେତୃତ୍ୱ ,
ବର୍ଷୀୟାନ ନେତା ଭାବରେ ।
ବିଜ୍ଞ ବାରିଷ୍ଟର, ବିନୟ ବିଚାର,
ବିଦ୍ୱାନବ୍ୟକ୍ତି ଦରବାରେ ॥୧୧॥
ବିଭବ ଛୁଇଁନି, ବାସନା ଜାଗିନି,
ବିଳାସ,ବ୍ୟସନ, ବିଭୋରରେ ।
ବିଶାଳ ହୃଦୟ, ବରଜି ଐଶ୍ୱର୍ଯ୍ୟ,
ବିବଶ ହୋଇନ ବିଷାଦରେ ॥୧୨॥

ଯଶ କୀର୍ତ୍ତି ରଖି, ଯାଇଛ ଜଗତେ,
ଯୋଗଜନ୍ମା ହୋଇ ମର୍ତ୍ତ୍ୟରେ ।
ଜନ୍ମ ଭୂମି ମାନ, ଯଶ କୀର୍ତ୍ତି ପାଇଁ,
ଯାତ୍ରା କରିଛ କଣ୍ଟକରେ ॥୧୩॥
ମାତୃ ଭାଷା ରତ୍ନ, ମହତ୍ୱ ସୁରକ୍ଷା,
ମଣ୍ଡିଛ ଆପଣା ବକ୍ଷରେ ।
ମର୍ଯ୍ୟାଦା ଦେବାକୁ, ମନାସିଲ ପୁଣି,
ମହିମା ରଖିଲ ଦକ୍ଷରେ ॥୧୪॥

ସ୍ୱତନ୍ତ୍ର ପ୍ରଦେଶ, ସମୃଦ୍ଧି ଭାଷାର
ସୃଜିଲ ସ୍ମୃତି ସ୍ୱର୍ଣ୍ଣା କ୍ଷରେ ।
ସ୍ୱାଭିମାନୀ ତୁମେ, ସ୍ୱାଧୀନ ଚେତନା,
ଶାନ୍ତ,ସରଳ ସ୍ୱଭାବରେ ॥୧୫॥
ଜାଗ୍ରତ କରିଛ, ଜନ ମାନସରେ,
ଯନ୍ତ୍ରଣା ଭରିଛ ମନ୍ତରେ ।
ବର୍ଷିଛ ଅନେକ, ଭାଷାର କମାଣ,
ଭୀଷଣ ଭାଷଣ ଅସ୍ତ୍ରରେ ॥୧୬॥

ଉଠାଇ ଦେଇଛ, ଉତ୍କଳ ସନ୍ତାନେ,
ଉନ୍ମାଦନା ଭରି ଯତ୍ନରେ ।
ଓଡିଆ ଭାଷାକୁ, ଓଜସ୍ପିନୀ କରି,
ଗର୍ଜିଛ କାବ୍ୟ କବିତାରେ ॥୧୭॥
ଓଡିଶା ମାଟିର, ଶ୍ରେଷ୍ଠ କର୍ଣ୍ଣଧାର,
ଅର୍ଦ୍ଧଶତାବ୍ଧି ଧରିତ୍ରୀରେ ।
ପ୍ରଥମ ଓଡିଆ, ପ୍ରତ୍ୟେକ କ୍ଷେତ୍ରରେ,
ପ୍ରମାଣ ଦେଇଛ ସଂସାରେ ॥୧୮

ପ୍ରୟାଣ କାଳ ଯେ, ଫେବୃଆରି ଚାରି,
ଉଣିଶ ଚଉତିରିସରେ।
ପର କରି ଗଲ, ପ୍ରିୟ ଉତ୍କଳକୁ,
ପରଷି ପ୍ରଚୁର ସ୍ନେହରେ ॥୧୯॥
ପୁଣି ଆଉ ଥରେ, ଆସ ଅବତରି,
ପରଖିବ ତୁମ ନେତ୍ରରେ ।
ପୂରୁବ ମହିମା, ପଡି ଅଛି ପୁଣି
ପରାଧୀନତାର ଗର୍ତ୍ତରେ ॥୨୦॥
************************

ଅଜିତ କୁମାର ତ୍ରିପାଠୀ(ଶିକ୍ଷକ)
ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪
************************