Sahitya Jibana

Portal on odia literature

ଉତ୍କଳ ଦିବସ ସଂଦେଶ – ଅଜିତ କୁମାର ତ୍ରିପାଠୀ

1 min read

ହେ ! ବୀର ସନ୍ତାନ ଉତ୍କଳ ନନ୍ଦନ
ଜନ୍ମି ଥିଲ ଦିନେ ଓଡ଼ିଶାରେ
ପୂଣ୍ୟ ଏହି ମାଟି କରିଣ ଏକାଠି
ରଖିଅଛ ଯଶ କୀରତିରେ ।।୧।।
ଭାରତ ପୁଷ୍କରେ ନୀଳୋତ୍ପଳ ସରେ
ପଦ୍ମାଳୟା ବିଜେ ତଥିପରେ
ଓଡ଼ିଶୀ ଗୁଞ୍ଜନ୍ତି କବି ଭୃଙ୍ଗ ପନ୍ତି
କାବ୍ୟ କବିତାରେ ନିରନ୍ତରେ ।।୨।।
ଅପୂର୍ବ ଶୋଭାର ପ୍ରଚୁର ଭଣ୍ଡାର
ପଟାନ୍ତର ନାହିଁ ଜଗତରେ
ଜଗନ୍ନାଥ ଯାର ଆରାଧ୍ୟ ଠାକୁର
ବିଜେ କରୁଛନ୍ତି ଭକ୍ତ ଠାରେ ।।୩।।
କଳା କାରିଗର ସ୍ଥାପତ୍ୟ ଭାସ୍କର
ଉତ୍କୃଷ୍ଟ କଳାଯେ ଜଗତରେ
ଶୌର୍ଯ୍ୟ,ବଳ,ବୀର୍ଯ୍ୟ ଇତିହାସେ ତୁର୍ଯ୍ୟ
ଶୁଭୁଥିଲା କଳିଙ୍ଗ ଯୁଦ୍ଧରେ ।।୪।।
ଖାରବେଳ ଙ୍କର ବୀରତ୍ଵ ଅପାର
ଆକ୍ରମଣ କରି ମଗଧରେ
ଗଙ୍ଗାଠାରୁ ଧରି ସୀମା ଗୋଦାବରୀ
ଦଖଲ କରିଲେ ପାରିବାରେ ।।୫।।
ଗଜପତି ଦିନେ କାଞ୍ଚି ଅଭିଯାନେ
ପଦ୍ମାବତୀଙ୍କ ସଙ୍ଗତରେ
ପ୍ରଭୁ ଜଗନ୍ନାଥ ଦେଇଥିଲେ ସାଥ
ଭକ୍ତ ମନୋରଥ କାମନାରେ ।।୬।।
ଚକରା ଦୋହରା ଘୁମୁସରେ ପରା
ସମର ସଜ୍ଜାର ଆତଙ୍କରେ
ଫିରିଙ୍ଗୀ ଶାସନ ପ୍ରମାଦ ଗଣିନ
ଛାଡ଼ି ଗଲେ ପ୍ରାଣ ବିକଳରେ ।।୭।।
ବୀରସେ ସୁରେନ୍ଦ୍ର ବକ୍ସି ଜଗବନ୍ଧୁ
ମେଳି ସର୍ଦାର ଆକ୍ରମଣରେ
ଦଳବେହେରାଙ୍କ ଲକ୍ଷ୍ମଣ ନାୟକ
ଦେଶ ପ୍ରେମ ପ୍ରୀତି ଉତ୍ସର୍ଗରେ ।।୮।।
ଫକୀର,ଶ୍ରୀକୃଷ୍ଣ, ରାମ,ନୀଳକଣ୍ଠ
ରାଧା,ମଧୁ,ଗୋପ,ଗଙ୍ଗାଧରେ
ଏପରି ଅନେକ ମହାପୁରୁଷଙ୍କ
ଦେଶ ସେବା,ତ୍ୟାଗ ଭାବନାରେ ।।୯।।
ସାହିତ୍ୟ ସଂସ୍କୃତି ଜାତୀୟ ସଂହତି
ଓଡ଼ିଆ ଜାତିର ଏକତାରେ
ଆହ୍ଵାନ କରିଲେ ସଂଗଠିତ ହେଲେ
ଲଢ଼ିଲେ ଶଢ଼ିଲେ କାରାଗାରେ ।।୧୦।।
ବିଚ୍ଛିନ୍ନାଞ୍ଚଳର ଏକତ୍ରିତ ତାର
ଶପଥ ରଖିଲେ ଜୀବନରେ
ଓଡ଼ିଆ ଭାଷାର ଜାତି ଓ ମାଟିର
ବିଖଣ୍ଡିତ ଅଂଶ ଯୋଡ଼ି ବାରେ ।।୧୧।।
ଉତ୍କଳ ପ୍ରଦେଶ ଗଠନ ବିଶ୍ଵାସ
ଦୃଢ଼ତା ରଖିଲେ ହୃଦୟରେ
ଉଣିଶ ଛତିଷ ଏପ୍ରିଲ ଯେ ମାସ
ପବିତ୍ର ସେ ଏକ ତାରିଖରେ ।।୧୨।।
ସ୍ଵତନ୍ତ୍ର ଉତ୍କଳ ହୋଇଲା ସଫଳ
ଗର୍ବ ଗଉରବ,ଗାରିମାରେ
ବିନମ୍ର ପ୍ରଣାମେ ସ୍ମରେ ସେହିନାମେ
ପବିତ୍ର ଉତ୍କଳ ଦିବସରେ ।।୧୩।।
ଏଇ ମୋ ଉତ୍କଳ ବିଶ୍ଵରେ ବିରଳ
ଭାଷା ଭୀତିକସେ ପ୍ରଦେଶରେ
ଧନ୍ୟ ଜଗନ୍ନାଥ ଜଗତର ନାଥ
ବିଜେ କରି ନୀଳାଞ୍ଚଳଠାରେ ।।୧୪।।
ବାର ମାସେ ତେର ପରବ ଯାହାର
ବିବିଧ ପ୍ରକାର ସଂସ୍କୃତିରେ
ଜାତି,ଧର୍ମ,ବର୍ଣ୍ଣ ଭେଦ ଭାବ ଭିନ୍ନ
ଭାଇଚାରା ଦେଇ ସଂଦେଶରେ ।।୧୫।।
***********************
ଅଜିତ୍ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ – କୁଲାଡ଼,ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮
***********************

Copyright © Sahitya Jibana | Newsphere by AF themes.