Sahitya Jibana

Portal on odia literature

ହୋଲି – ନିକୁଞ କୁମାର ଘୋଷ

1 min read

ହୋଲିରେ ହୋଲି ତୁ ରଂଗର ପସରା
ଦେଇଛୁ ମେଲିଣ ଆଜି
ଅବିରର ସାଥେ ନାଲି,ନୀଳ ରଂଗେ
ମନ ମୋ ଯାଇଛି ହଜି ।।
ଅସତ୍ୟ ଉପରେ ସତ୍ୟର ବିଜୟ
ଅଧର୍ମ ଉପରେ ଧର୍ମ
ଯୁଗେ ଯୁଗେ ଅଛି ମାନବ ମତିରେ
ହୋଲି ପାଳନର ମର୍ମ ।।
ପୁରାଣର କଥା ହିରଣ୍ୟକଶ୍ୟପ
ଦାନବ ରାଜାର କର୍ମ
ପୁତ୍ର ସାଥେ ବାଦ ଯେ ପିତା କରଇ
ମୁଖେ ନାହିଁ ତା ସରମ ।।
ବାର ବାର ଯେହୁଁ ବାରଣ କରଇ
ବିଷ୍ଣୁ ଭକ୍ତ ପ୍ରହ୍ଲାଦକୁ
ନ ମାନି ବାରତା ବିଷ୍ଣୁଙ୍କୁ ପୂଜିଣ
ଡାକୁ କାହିଁ ମରଣକୁ ।।
ବିବିଧ କଳ୍ପନା ପଣ୍ଡ ହେବା ଜାଣି
ଚିନ୍ତା ଘାରେ ହିରଣ୍ୟର
ଉପାୟ ପାଞ୍ଚିଲା ଭଗିନୀ ସାହାଯ୍ୟେ
ପୁତ୍ର ହତ୍ୟା କରିବାର ।।
ଦେବା ଦେବୀ ପୂଜି ବର ପ୍ରାପ୍ତ କଲେ
ହୋଲିକାର ଭକ୍ତି ଦେଖି
ପୋଡିବନି ସିଏ କେବେ ବି ଜୀବନେ
ଅନଳକୁ ନେଲେ ମାଖି ।।
ଭ୍ରାତା ଆଜ୍ଞା ପାଇ ଚଳିଗଲା ଯେବେ
ପୁତୁରାକୁ ସାଥେ ଧରି
ଅଗ୍ନି ମଧ୍ୟେ ନିଜ ଶରୀର ପୋଡିଲା
ଅଧର୍ମେ ଗଲାରେ ମରି ।।
ହୋଲିକାର ନାମେ ସେହି ଦିନ ଠାରୁ
ହୋଲି ପର୍ବ ରୂପେ ଜଣା
ଧର୍ମର ବିଜୟେ ରଂଗ ବୋଳି ଦେଇ
ସେ ଦିନ ଜଗତେ ଗଣା ।।
କୃପାମୟ ହରି ମରତେ ଜନଙ୍କୁ
ଧର୍ମ ପଥ ଦେଖି ଦିଅ
ଭକତି ଅନ୍ତରେ ନୈବେଦ୍ୟ ଜଣାଏ
ଜଗତକୁ ସାହା ହୁଅ ।।
======0======
ନିକୁଞ କୁମାର ଘୋଷ
ସା-ମାଧବପୁର ,ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର,
ଜିଲ୍ଲା-ବାଲେଶ୍ବର, ଓଡିଶା ।ପିନ୍-756032