Sahitya Jibana

Portal on odia literature

ଗଣତନ୍ତ୍ର – ପୁଷ୍ପଲତା ସାହୁ

1 min read

ଫରଫର ହୋଇ ତ୍ରିରଙ୍ଗା ପତାକା
ଉଡେ ନୀଳ ଆକାଶରେ
ତିନି ରଙ୍ଗ ତାର ଶାନ୍ତି ମୈତ୍ରୀ ବାର୍ତ୍ତା
ମନରେ ଆମ ଗୁଞ୍ଜରେ !!
ଫିରିଙ୍ଗି ଶାସନ ଅଧୀନରେ ରହି
ପାଉଥିଲୁ ବହୁ ଦୁଃଖ
କଷଣ ପେଷଣ ଶୋଷଣ କବଳେ
ବିଷର୍ଣ୍ଣ ସବୁରି ମୁଖ !!
ଦେଶ ମାତୃକାର ପରାଧୀନ ଦୁଃଖ
ତେଜିଲା ସବୁରି ମନେ
ଦେଇ ବଳିଦାନ ମାଟି ମାଆ ପାଇଁ
କହିଗଲେ କାନେ କାନେ !!
ନିଜ ଜୀବନକୁ ତିଳ ତିଳ କରି
ସ୍ୱାଧୀନତା ଦେଲେ ହାତେ
ସେହି ବୀର ପଦେ ମଥା ନୁଆଇଁକି
କରୁଛି ମୁଁ ପ୍ରଣିପାତେ !!
ସ୍ୱାଧୀନ ଭାରତେ ସମ୍ବିଧାନ ପାଇଁ
ଚାଲିଲା ନୀତିନିୟମ
ଆମ୍ବେଦକରଙ୍କ ସାଧନା ବଳରେ
ଗଢ଼ା ହେଲା ସମ୍ବିଧାନ !!
ନିୟମ ହୋଇଲା ଜନତାଙ୍କ ପାଇଁ
ଶାସନ ହେଲା ତାଙ୍କର
ନିଜେ ଚଳାଇଲେ ଶାସନର ଭେଳା
ନ ରଖି ଆପଣା ପର !!
ଧର୍ମନିରପେକ୍ଷ ଦେଶରେ ସଭିଏଁ
ହୋଇଲେ ତ ନିଜେ ରାଜା
ଶାନ୍ତିର ପଥେ ଅଶାନ୍ତି ଖେଳାଇ
ଶୋଷିତ ହୁଅଇ ପ୍ରଜା
ନେତା ହସ୍ତେ ଦେଖ ଦେଶ ଧନ ମାନ
ଶାସନର ରଜ୍ଜୁ ଟାଣ
ଜନତା ଏଠି ଭୋକିଲା ପେଟରେ
ଯାଉଛି ତାହାର ପ୍ରାଣ
ଗଣତନ୍ତ୍ର ଆଜି ଦିଗହରା ହୋଇ
ଖୋଜୁଛି ତାହାର ପଥ
ସମାଜେ ରକ୍ଷକ ଭକ୍ଷକ ସାଜି
ଦେଖୁଚି କେତେ ନାଟ
ଗଣ ମାନେ ଆଜି ହୁଅ ଏକତ୍ରିତ
ଗଣତନ୍ତ୍ର ରକ୍ଷା ପାଇଁ
ଆମରି ହାତରେ ସୁନାର ଭାରତ
ଯିବ ନିଶ୍ଚୟ ଆଗେଇ !!

ପୁଷ୍ପଲତା ସାହୁ
ଜଗତସିଂହପୁର